ରଙ୍ଗାରଙ୍ଗ ସୁରଭିରେ ଝଲସିଲା ତୁରେକେଲା, ବିଧାୟକଙ୍କ ଉପସ୍ଥିତିରେ ପୁରସ୍କୃତ ହେଲେ କୁନି ପ୍ରତିଭା

ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କୁନି କୁନି ପ୍ରତିଭାଙ୍କ ରଙ୍ଗାରଙ୍ଗ ପରିବେଷଣରେ ଆଜି ଝଲସି ଉଠିଲା ତୁରେକେଲା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି। ରାଜୀବ ଗାନ୍ଧୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦିନବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଘ୍ନନାଶକ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପଦୀପ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ ସମ୍ମାନିତ ଅତିଥି ଏବଂ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଶିଶୁ ପ୍ରତିଭା ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହିଆଲର ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ ସୁରଭି ଭଳି ମଞ୍ଚ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ବୋଲି କହିଥିଲେ। ଆଦର୍ଶ ବିଦ୍ୟାଳୟ ଝରଣୀର ଓଡ଼ିଆ ଅଧ୍ୟାପକ ରାଜେଶ କୁମ୍ଭାର ମୁଖ୍ୟ ବକ୍ତା,

ସିଆରସିସି ଗଜୀନ୍ଦ୍ର ହରିଜନ, ଅକ୍ଷୟ ମେହେର, ବିଚାରକ ଜୀତେନ୍ଦ୍ର ପଟ୍ଟନାୟକ, ଗଣପତି ବେହେରା, ସୁକେଶ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଥିଲେ। ସିଆରସିସି ବିରଞ୍ଚି ଦାଶ ପରିଚାଳନା ଓ ଦୀନେଶ ମହାନନ୍ଦ ଧନ୍ୟବାଦ ଦେଇଥିଲେ । ଏହି ମହୋତ୍ସବରେ ବ୍ଲକର ୧୧ଟି କ୍ଲଷ୍ଟରରୁ ଶହ ଶହ ଛାତ୍ରଛାତ୍ରୀ ଯୋଗଦେଇ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସଂଗୀତ, ଚିତ୍ରକଳା, ଶିଳ୍ପକଳା ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାରୀଙ୍କୁ ମଞ୍ଚରେ ପ୍ରମାଣପତ୍ର ଓ ସ୍ମୃତିଫଳକ ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସିଆରସିସି ଓ ଶିକ୍ଷକ ସହଯୋଗ କରିଥିଲେ। ବ୍ଲକ୍ ସ୍ତରରେ ପ୍ରଥମ ସ୍ଥାନ ପାଇଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୫ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି ମହୋତ୍ସବରେ ତୁରେକେଲା ବ୍ଲକର ପ୍ରତିନିଧିତ୍ୱ କରିବେ ।

Exit mobile version