ଗାଈଗୋରୁ ଚାଲାଣ ବେଳେ ରାଷ୍ଟ୍ରିୟ ବଜରଙ୍ଗ ଦ୍ୱାରା ଉଦ୍ଧାର : ୬ ଗୋରୁ ଉଦ୍ଧାର, ୨ ଅଟକ; ଅନ୍ୟ ୨ ଫେରାର

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲାରେ ଗୋରୁ ଚାଲାଣକୁ ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଏକ ଛୋଟ ପିକ୍‌ଅପ୍‌ ଗାଡ଼ିରେ ଅତ୍ୟନ୍ତ ଅମାନବୀୟ ଭାବେ ୬ଟି ଗାଈଗୋରୁଙ୍କୁ ବୋଝେଇ କରି ଚାଲାଣ କରାଯାଉଥିବା ବେଳେ ରାଷ୍ଟ୍ରୀୟ ବଜରଙ୍ଗ ଦଳର କର୍ମୀ ମାନେ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି । ଏଥିସହ ଗାଡ଼ିରେ ଥିବା ଦୁଇଜଣଙ୍କୁ ଧରି ବାଲିଗୁଡ଼ା ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଏକ ପିକ୍‌ଅପ୍‌ ଗାଡ଼ିରେ ୬ଟି ଗାଈଗୋରୁଙ୍କୁ ବୋଝେଇ କରି ବାଲିଗୁଡ଼ା ଦେଇ ତୁମୁଡ଼ିବନ୍ଧ ରାସ୍ତାରେ ନିଆଯାଉଥିଲା।

ଏହି ସମୟରେ ଗୋରୁ ବୋଝେଇ ଗାଡ଼ିକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର କର୍ମୀମାନେ ଦେଖି ସନ୍ଦେହ ପ୍ରକାଶ କରିଥିଲେ। ଗାଡ଼ିଟିକୁ ଅଟକାଇବା ପାଇଁ ପିଛା କରିବା ସହ ବାଟାଗୁଡ଼ା ମଣ୍ଡଳର କର୍ମୀମାନଙ୍କୁ ମଧ୍ୟ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ସୂଚନା ପାଇ ବାଟାଗୁଡ଼ା ଠାରେ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ିକୁ ଅଟକାଇବା ପାଇଁ ଅପେକ୍ଷା କରିଥିଲେ। ତେବେ ଦ୍ରୁତଗତିରେ ଆସୁଥିବା ପିକ୍‌ଅପ୍‌ ଗାଡ଼ିର ଆଗ ଚକା ଫାଟିଯିବାରୁ ଗାଡ଼ିଟି ରାସ୍ତାରେ ଅଟକି ଯାଇଥିଲା। ଏହାପରେ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ି ନିକଟରେ ପହଞ୍ଚି ଯାଞ୍ଚ କରିବାରୁ ଗୋଟିଏ ଛୋଟ ପିକ୍‌ଅପ୍‌ ଗାଡ଼ିରେ ୬ଟି ଗାଈଗୋରୁଙ୍କୁ ଅତ୍ୟନ୍ତ ଅସ୍ୱାଭାବିକ ଓ କଷ୍ଟଦାୟକ ଭାବେ ଗୋଡ଼ ଓ ମୁହଁ ବାନ୍ଧି ରଖାଯାଇଥିବା ଦେଖିଥିଲେ।

ଗାଡ଼ିରେ ଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ସୁଯୋଗ ଦେଖି ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ବଜରଙ୍ଗ ଦଳର କର୍ମୀମାନେ ଧରିଥିଲେ। ପରେ ୬ଟି ଗାଈଗୋରୁ ଓ ପିକ୍‌ଅପ୍‌ ଗାଡ଼ି ସହ ଦୁଇଜଣଙ୍କୁ ବାଲିଗୁଡ଼ା ଥାନାକୁ ନେଇ ପୋଲିସର ଜିମା ଦିଆଯାଇଥିଲା। ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ କେଶ ନଂ. ୨୯୬/୨୬ ପ୍ରକାରେ ଏକ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶ୍ୱଜିତ ପାତ୍ର କହିଛନ୍ତି ଯେ, ଉକ୍ତ ଗାଡ଼ିଟି କନ୍ଧମାଳ ଜିଲ୍ଲାରୁ ରାୟଗଡ଼ା ଅଭିମୁଖେ ଯାଉଥିଲା। ଗୋମାତାଙ୍କୁ ଏକ ଛୋଟ ଗାଡ଼ିରେ ଏଭଳି ଅମାନବୀୟ ଭାବେ ବାନ୍ଧି ନେବା ଅତ୍ୟନ୍ତ ନିନ୍ଦନୀୟ ଓ କଷ୍ଟଦାୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। ତେବେ ଏହି ଗୋରୁ ଚାଲାଣ ପଛରେ କିଏ ଅଛନ୍ତି, କେଉଁ ଉଦ୍ଦେଶ୍ୟରେ ଗୋରୁଗୁଡ଼ିକୁ ନିଆଯାଉଥିଲା ଏବଂ ଚାଲାଣ ସମ୍ପର୍କିତ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ଦିଗରେ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

Exit mobile version