ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

ଉଦ୍‌ଘାଟନ ପରେ ବି ଝୁଲୁଛି ତାଲା, ଜନସାଧାରଣଙ୍କ କାମରେ ଆସୁନି ସରକାରୀ ଯୋଜନା l

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-ରଣପୁର ଏନ୍‌ଏସି ବଜାର ଅଞ୍ଚଳରେ ଥାନା, ଡାକ୍ତରଖାନା, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ମନ୍ଦିର ଆଦି ରହିଥିବାରୁ ପ୍ରତିଦିନ ଶତାଧିକ ଲୋକଙ୍କ ଯାତାୟାତ ଲାଗି ରହିଥାଏ । ଏଭଳି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସର୍ବସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଶୌଚାଳୟ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ଏହାର ସ୍ଥାନ ନିର୍ଦ୍ଧାରଣକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି ।

ସରକାରୀ ଯୋଜନାରେ ନିର୍ମିତ ସର୍ବସାଧାରଣ ଶୌଚାଳୟଟି ବଜାରର କୌଣସି ସୁବିଧାଜନକ ଓ ସହଜରେ ଦୃଷ୍ଟିଗୋଚର ହେଉଥିବା ସ୍ଥାନରେ ନିର୍ମାଣ ନକରି ଡାକ୍ତରଖାନା ପରିସର ମଧ୍ୟରେ ନିର୍ମାଣ କରାଯାଇଛି । ଫଳରେ ଏହାର ଅବସ୍ଥିତି ସମ୍ପର୍କରେ ସାଧାରଣ ଲୋକ ଅବଗତ ହୋଇପାରୁନାହାନ୍ତି । ଚଳିତ ବର୍ଷ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ବିଧାୟିକାଙ୍କ ଦ୍ୱାରା ଉଦ୍‌ଘାଟନ ମଧ୍ୟ କରାଯାଇଛି । ମାତ୍ର ଦୁର୍ଭାଗ୍ୟର ବିଷୟ, ଉଦ୍‌ଘାଟନ ପର ଠାରୁ ଏଯାବତ୍‌ ଶୌଚାଳୟରେ ତାଲା ଝୁଲୁଛି । ଫଳରେ ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ଏହି ସୁବିଧା ଜନସାଧାରଣଙ୍କ କୌଣସି କାମରେ ଆସିପାରୁନାହିଁ ।

ଅନ୍ୟପକ୍ଷରେ ଡାକ୍ତରଖାନା ପରିସରରେ ବିଭିନ୍ନ ୱାର୍ଡ ଅନୁଯାୟୀ ଶୌଚାଳୟର ବ୍ୟବସ୍ଥା ଥିବା ସତ୍ତ୍ୱେ ସେଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଓ ସ୍ୱଚ୍ଛତା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ଡାକ୍ତରଖାନା ପରିସରରେ ନିର୍ମିତ ନୂତନ ସର୍ବସାଧାରଣ ଶୌଚାଳୟର ରକ୍ଷଣାବେକ୍ଷଣ, ପରିଚାଳନା ଓ ପରିବେଶର ସ୍ୱଚ୍ଛତା ଦାୟିତ୍ୱ କିଏ ନେବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟ ପକ୍ଷରେ ଜନସାଧାରଣ ସରକାରଙ୍କ ଯୋଜନା ଲୋକଙ୍କ କାର୍ଯ୍ୟରେ ନ ଆସିବା ଏବଂ ଡାକ୍ତରଖାନାରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ ଭଳି ଏନଏସିର ମନମୁଖୀ କାର୍ଯ୍ୟ କଳାପକୁ ତୀବ୍ର ବିରୋଧ କରିଛନ୍ତି ।

 

ଲୋକଙ୍କ ପ୍ରତିକ୍ରିୟା ଅନୁସାରେ ସରକାରଙ୍କ ଯୋଜନା କେବଳ ନେତା ନେତ୍ରୀଙ୍କ ସ୍ବାର୍ଥ ସାଧନ ପ୍ରକଳ୍ପ । ଏପରିକି ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ସର୍ବସାଧାରଣ ଶୌଚାଳୟଟି ସିଡିଏମ୍‌ଙ୍କ ଅବଗତି ବାହାରେ ନିର୍ମାଣ କରାଯାଇଥିବା ଜଣାଯାଉଛି । ଯଦି ଏହା ସତ୍ୟ, ତେବେ ଡାକ୍ତରଖାନା ପରିସରରେ ଏଭଳି ନିର୍ମାଣ ପାଇଁ କାହାର ଅନୁମତି ନିଆଯାଇଥିଲା ଏବଂ ଏହାର ପରିଚାଳନା ଦାୟିତ୍ୱ କାହା ଉପରେ ନ୍ୟସ୍ତ ହୋଇଛି, ତାହାର ସ୍ପଷ୍ଟୀକରଣ ଆବଶ୍ୟକତା ରହିଛି । ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଅର୍ଥ ବ୍ୟୟ କରି ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ କିନ୍ତୁ ଯୋଜନାର ଉଦ୍ଦେଶ୍ୟ ଯଦି ଲୋକଙ୍କ ପାଖରେ ପହଞ୍ଚି ନପାରେ,

 

ତେବେ ତାହାର ସଫଳତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । କେବଳ ଶୌଚାଳୟ ନିର୍ମାଣ ଓ ଉଦ୍‌ଘାଟନରେ ପ୍ରଶାସନର ଦାୟିତ୍ୱ ଶେଷ ହୋଇଯାଏନାହିଁ । ଏହାକୁ ଲୋକଙ୍କ ବ୍ୟବହାର ଉପଯୋଗୀ କରିବା ସହ ନିୟମିତ ରକ୍ଷଣାବେକ୍ଷଣ କରିବା ମଧ୍ୟ ଜରୁରୀ । ତେଣୁ ଏହି ଶୌଚାଳୟ ନିର୍ମାଣର ଉଦ୍ଦେଶ୍ୟ, ସ୍ଥାନ ନିର୍ଦ୍ଧାରଣ ଓ ପରିଚାଳନା ବ୍ୟବସ୍ଥାର ଉଚିତ ତଦନ୍ତ କରି ଏହାକୁ ତୁରନ୍ତ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବାକୁ ସମ୍ପୃକ୍ତ ପ୍ରଶାସନ ଓ ଏନ୍‌ଏସି କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ।

Exit mobile version