ଆସିକା ସହରାଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ

ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଆସିକା ସହରାଞ୍ଚଳରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟା ପରିସ୍ଥିତି ପରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଛି । କଠିନ ପରିସ୍ଥିତି ସତ୍ତ୍ୱେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିର ମରାମତି ଏବଂ ଯୋଗାଣ ପୁନରୁଦ୍ଧାର ପାଇଁ ଟିପିଏସ୍‌‌ଓଡିଏଲ୍‌‌ର ଟିମ୍‌‌ଗୁଡ଼ିକ ନିରନ୍ତର କାର୍ଯ୍ୟ କରିଥିଲେ । ବନ୍ୟା ଯୋଗୁଁ ଆସିକାର ବିଭିନ୍ନ ଅଞ୍ଚଳ, ବଜାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଜଳମଗ୍ନ ହୋଇଥିଲା । ଅନେକ ସ୍ଥାନରେ ଜଳବନ୍ଦୀ, କାଦୁଅ ଓ ଆବର୍ଜନା ଜମି ରହିବା ସହ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ସୁରକ୍ଷା ନିୟମାବଳୀକୁ ଅନୁସରଣ କରି ମରାମତି ଓ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଟିପିଏସ୍‌‌ଓଡିଏଲ୍ ପକ୍ଷରୁ ପ୍ରାୟ ୬,୫୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏଥିରେ ବରିଷ୍ଠ ଅଧିକାରୀ, ଇଞ୍ଜିନିୟର, କର୍ମଚାରୀଙ୍କ ସମେତ ପ୍ରକଳ୍ପ କର୍ମଚାରୀ ସାମିଲ ଅଛନ୍ତି । ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୪୦୦ଟି ଯାନବାହନ, ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍‌‌ଷ୍ଟେସନ୍ ଏବଂ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ନିୟୋଜିତ କରାଯାଇଛି । ଏହାଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଛି । ବିଭିନ୍ନ ଅଞ୍ଚଳର ଟିମ୍‌‌ଗୁଡ଼ିକ କ୍ଷୟକ୍ଷତିର ଆକଳନ, ଭିତ୍ତିଭୂମିର ମରାମତି ଏବଂ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାରେ ନିୟୋଜିତ ରହିଥିଲେ । ବିଦ୍ୟୁତ ଯୋଗାଣକୁ ନିର୍ଭରଯୋଗ୍ୟ ରଖିବା ସହ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ଜନସାଧାରଣଙ୍କୁ ସହଯୋଗ ଯୋଗାଇବା ପାଇଁ ଟିପିଏସ୍‌‌ଓଡିଏଲ୍ ପ୍ରତିବଦ୍ଧ ରହିଛି ।

Exit mobile version