ଗାଁ ସମ୍ପୂର୍ଣ ଅନ୍ଧାର, ବିପନ୍ନଙ୍କୁ ମିଳୁଛି ଗୋଳିଆ ପାଣି


ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅଞ୍ଚଳରେ ବାତ୍ୟା ଅର୍ଣ୍ଣବର ପରବର୍ତ୍ତୀ ସ୍ଥିତି ଅତି ଚିନ୍ତାଜନକ ଥିବା ଜଣାପଡ଼ିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ ନେଇ ପ୍ରଭାବିତ ଗାଁ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଭାଵିତ ଅଞ୍ଚଳର ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଜନ ସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ପ୍ରଦାନକୁ ସର୍ବାଧିକ ପ୍ରାଥମିକତା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବ କ୍ଷେତ୍ରରେ କିନ୍ତୁ ଏହାର ଚିତ୍ର ଅଲଗା । ଅନୁସନ୍ଧାନ ବେଳେ ଗାଁର ଚିତ୍ର, ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ଓ କ୍ଷୋଭ ପ୍ରକାଶରୁ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରଭାବିତ ଗାଁ ମଧ୍ୟରେ ହିଞ୍ଜିଳି ବ୍ଲକର ଚାନ୍ଦୁଲି ଓ ଖଣ୍ଡରା ଗ୍ରାମ ବାସିନ୍ଦାଙ୍କ ଦୁଃଖ ଓ ଦୁର୍ଦ୍ଦଶା କହିଲେ ନ ସରେ । ବାତ୍ୟା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି ଖଣ୍ଡରା ଗ୍ରାମବାସୀ ବିଭିନ୍ନ ଅଭାବ ଅସୁବିଧା ଦେଇ କାଳାତିପାତ କରୁଥିବା ଜଣାପଡ଼ିଛି । ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିଯାଇଛି । ରିଲିଫ ସାମଗ୍ରୀ ବି ପର୍ଯ୍ୟାପ୍ତ ପରିମାଣରେ ମିଳି ନ ଥିବା ଅଭିଯୋଗ ହୋଇଛି । ସରକାରୀ ସୂତ୍ର ଅନୁଯାୟୀ ଖଣ୍ଡରା ଗ୍ରାମର ପରିବାର ସଂଖ୍ୟା ୮୦୦ ଓ ଅଧିବାସୀଙ୍କ ସଂଖ୍ୟା ୨୨୦୦ । ଅଦ୍ୟାବଧି ଏ ପର୍ଯ୍ୟନ୍ତ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିବା ପରିବାର ଲୋକେ ରାତିରେ ନିଜସ୍ୱ ଖର୍ଚ୍ଚରେ ମହମବତୀ ଖଣ୍ଡିଏ ଜାଳି ନିତିଦିନିଆ ଜୀବନର ଅଭାବ ଅସୁବିଧାକୁ ଦୂର କରୁଥିବା ଦେଖା ଯାଇଛି ।

ଅନ୍ଯ ପକ୍ଷରେ ଶନିବାର ଅପରାହ୍ନ ସମୟରେ ଚାନ୍ଦୁଲି ଗ୍ରାମବାସିନ୍ଦାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । କିନ୍ତୁ ପାନୀୟ ଜଳର ସଙ୍କଟ ଦେଖା ଦେଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି । କିନ୍ତୁ ତାହା ବି ବ୍ୟବହାର ଉପଯୋଗୀ ନୁହେଁ । ଶନିବାର ସମ୍ପୃକ୍ତ ଗ୍ରାମକୁ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆ ଯାଇଥିବା ପାନୀୟ ଜଳ କେତେ ଉପଯୋଗୀ ତାହା ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନେ ବ୍ୟବହାର କଲେ ହିଁ ଜାଣି ପାରିବେ । କିନ୍ତୁ ତାହା ଗୋଳିଆ ପାଣି ଏବଂ ପିଇବା ପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଦ୍ୟୁତ ସେବା, ରିଲିଫ୍ ସାମଗ୍ରୀ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦିଆ ଯାଇଥିବା ସୂଚନା ମିଳିଛି । ଜିଲ୍ଳା ପ୍ରଶାସନ ବାସ୍ତବ କ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପ୍ରଭାବିତ ଗାଁ ଲୋକେ ଅଭିଯୋଗ କରିଛନ୍ତି ।

Exit mobile version