ଦୁର୍ନୀତି ନିବାରଣ ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ  

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦୁର୍ନୀତିମୁକ୍ତ ସମାଜ ଗଠନ, ସାଧୁତା, ସ୍ୱଚ୍ଛତା ଓ ନୈତିକ ମୂଲ୍ୟବୋଧର ପ୍ରସାର ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଫୁଲବାଣୀସ୍ଥିତ ପଞ୍ଚାୟତ ଭବନ ସଭାଗୃହଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଏବଂ ତପୋବନ ଶାନ୍ତି ଆଶ୍ରମର ପ୍ରମୁଖ ଶ୍ରୀ ପ୍ରକାଶ ମୁନି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ, ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁଧିଷ୍ଠିର ମେହେର, ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ପି.ପି. ଶ୍ରୀ ଭି.ଭି. ରାମଦାସ ଓ ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାସ ଏବଂ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଜିତ କୁମାର ପଟ୍ଟନାୟକ ଯୋଗଦେଇଥିଲେ ।

ସଭାରେ ଅତିଥିମାନେ ଦୁର୍ନୀତି ନିବାରଣ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ, ପ୍ରଶାସନିକ ସ୍ୱଚ୍ଛତା, ସାଧୁତା ଓ ନୈତିକ ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଏଥିସହ ସାଧୁତା ଓ ସ୍ୱଚ୍ଛତା ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ପ୍ରାରମ୍ଭରେ ଭିଜିଲାନ୍ସ ବିଭାଗର ଡିଏସ୍‌ପି ଶ୍ରୀମତୀ କୁମୁଦିନୀ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଦୁର୍ନୀତି ନିବାରଣ ଦିଗରେ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

ଏହାପୂର୍ବରୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପଞ୍ଚାୟତ ଭବନଠାରେ ପହଞ୍ଚିଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ବିଭାଗର କର୍ମଚାରୀ ଓ ଜନସାଧାରଣ ସାମିଲ ହୋଇଥିଲେ । ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡସ୍ତରୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅତିନିଏଲ ନାଇକ ଏବଂ ଭିଜିଲାନ୍ସ ବିଭାଗର ଅଧିକାରୀ ଶ୍ରୀ ୱାଇ.ବି. ରବିକିରଣ, ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ମନୋରଞ୍ଜନ କହଁର ଓ ଶ୍ରୀ ମନୋଜ ମୁଖୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version