ଜାତି ବାସନ୍ଦର କରୁଣ ଚିତ୍ର : ଶବ ଛୁଇଁଲେନି ଜାତିଭାଇ, ୧୮ ଘଣ୍ଟା ପରେ ଚାରିକାନ୍ଧ ଦେଲେ ସମାଜସେବୀ

ବେଲପଡା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆଧୁନିକ ଯୁଗରେ ମଧ୍ୟ ଜାତିପ୍ରଥାର କୁତ୍ସିତ ଚେହେରା ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଖଲିପଥର ଗାଁରେ ଦେଖିବାକୁ ମିଳିଛି। ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ ବିବାହ କରିଥିବାରୁ ସମାଜରୁ ବାସନ୍ଦ ହୋଇଥିବା ଗୟାଧର ବାଗ(୫୮)ଙ୍କ ମୃତ୍ୟୁ ପରେ ୧୮ ଘଣ୍ଟା ଧରି ଶବ ଘରେ ପଡି ରହିଥିଲା। ଜାତିଭାଇ ଛୁଇଁଲେନି, ଶେଷରେ ସମାଜସେବୀମାନେ ଚାରିକାନ୍ଧ ଦେଇ ସତ୍କାର କରିଥିଲେ। ସୂଚନା ଅନୁଯାୟୀ, ପ୍ରାୟ ୩୨ ବର୍ଷ ତଳେ ଗୟାଧର ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଜାତି ସମାଜ ଉଭୟଙ୍କୁ ବାସନ୍ଦ କରିଥିଲା। ଦମ୍ପତି ଗାଁରେ ଅଲଗା ରହି ମୂଲ ମଜୁରୀ କରି ପରିବାର ଚଳାଉଥିଲେ। ତାଙ୍କର ତିନି ସନ୍ତାନ ଥିବା ବେଳେ ଅଭାବ ଯୋଗୁଁ ସମସ୍ତେ ବେଙ୍ଗାଲୁରୁରେ ଦାଦନ ଖଟୁଛନ୍ତି ।

ଗୟାଧର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତିନି ଦିନ ତଳେ ବଡ ପୁଅ ମହନ ଗାଁକୁ ଆସି ତାଙ୍କୁ ବଲାଙ୍ଗୀର ମେଡିକାଲକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଗତକାଲି ତାଙ୍କୁ ଗାଁକୁ ଫେରାଇ ଅଣାଯାଇଥିଲା, କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ମହନ ଓ ତାଙ୍କ ମାଆ ଶବ ସତ୍କାର ପାଇଁ ଜାତିଭାଇଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ଆଗେଇ ଆସିନଥିଲେ। ଫଳରେ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଶବ ଘରେ ପଡି ରହିଥିଲା ।

ଶେଷରେ ଖବର ପାଇ ସମାଜସେବୀ ଗିରିରାଜ ଭୋଇ, ପ୍ରବୀଣ କୁମାର ପୁରୋହିତ, ନିରୋଜ ପୁଟେଲ, ରଘୁନାଥ ରଣା ଓ ଦିଲୀପ କୁମୁରା ପହଞ୍ଚି ଶବକୁ ଚାରିକାନ୍ଧ ଦେଇ ଗୌଚର ପଡିଆକୁ ନେଇ ସତ୍କାର କରିଥିଲେ। ଏହି ଘଟଣା ସମାଜରେ ଜାତିପ୍ରଥାର କୁପରିଣାମକୁ ପଦାରେ ପକାଇଛି। ଏଭଳି ଅମାନବୀୟ ଘଟଣାର ପୁନରାବୃତ୍ତି ରୋକିବା ଓ ସଚେତନତା ସୃଷ୍ଟି ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Exit mobile version