ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

 ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜିଲ୍ଲା ପ୍ରଶାସନର ଏକ ପ୍ରେରଣାଦାୟୀ ତଥା ଅଭିନବ ପ୍ରୟାସ ସ୍ୱରୂପ ମାଲକାନଗିରି ଜନଜାତି ସଂଗ୍ରହାଳୟ ନିକଟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଦ୍ୱାରା ‘ଶୌର୍ଯ୍ୟ କାଫେ’ର ଶୁଭ ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଚରମ ସୀମାରେ ଥିବା ସମୟରେ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ପ୍ରତିଷ୍ଠା ପାଇଁ ନିଜ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଆରକ୍ଷୀ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ସ୍ମୃତି ଚାରଣ ତଥା ସେମାନଙ୍କ ସାହସିକତା ପ୍ରତି ସମ୍ମାନ ଜଣାଇ ଏହି କାଫେକୁ ଉତ୍ସର୍ଗୀକୃତ କରାଯାଇଛି ।

ଏହା ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ, ତ୍ୟାଗ ଏବଂ ସେବା ମନୋଭାବ ଜାଗ୍ରତ କରିବା ପାଇଁ ଏକ ଅନନ୍ୟ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିବ । ଏହି ଅବସରରେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆମ ଜିଲ୍ଲାର ଶାନ୍ତି ଓ ପ୍ରଗତି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସେହି ଅମର ଶହୀଦମାନଙ୍କ ନିକଟରେ ଆମେ ଚିର ଋଣୀ । ଏହି ‘ଶୌର୍ଯ୍ୟ କାଫେ’ କେବଳ ଏକ ସ୍ମାରକୀ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ତ୍ୟାଗ ଓ ଦେଶମାତୃକାର ସେବା ଦିଗରେ ଏକ ଜୀବନ୍ତ ପ୍ରେରଣା ହୋଇ ରହିବ । ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆରକ୍ଷୀ ଅଧୀକ୍ଷକ ଯବାନମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି କହିଥିଲେ,

ଆଜି ମାଲକାନଗିରିରେ ଯେଉଁ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିଛି, ତାହା କେବଳ ଆମ ସୁରକ୍ଷା ବଳର ଯବାନମାନଙ୍କ ଅଦମ୍ୟ ସାହସ ଓ ବଳିଦାନ ଯୋଗୁଁ ସମ୍ଭବ ହୋଇଛି । ଏହି ପ୍ରକଳ୍ପ ଆମର ସେହି ବୀର ନାୟକମାନଙ୍କ ପ୍ରତି ଏକ କ୍ଷୁଦ୍ର କୃତଜ୍ଞତା ଓ ସମ୍ମାନର ପ୍ରତୀକ । ଏହି ଗୌରବମୟ ଉତ୍ସବରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହଳଧର ଶବର ପ୍ରମୁଖ ବିଶେଷ ଭାବେ ଉପସ୍ଥିତ ରହି ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Exit mobile version