କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପଦକ୍ଷେପ : ରାଇକିଆରେ ଡାକ୍ତରୀ ଦଳ ନିୟୋଜିତ

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ବନ୍ୟା ପ୍ରଭାବିତ ରାଇକିଆ ଅଞ୍ଚଳର ଲୋକଙ୍କୁ ତ୍ୱରିତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଫୁଲବାଣୀ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି । ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗ ପକ୍ଷରୁ ପଠାଯାଇଥିବା ଏହି ଡାକ୍ତରୀ ଦଳ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ବନ୍ୟା ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବେ ।

ବିଶେଷ କରି ବନ୍ୟା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା ଲୋକଙ୍କୁ ଆବଶ୍ୟକୀୟ ଚିକିତ୍ସା ସହ ବିଶେଷଜ୍ଞ ପରାମର୍ଶ ଓ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ। ବନ୍ୟା ପରେ ଦୂଷିତ ଜଳ ଓ ପରିବେଶ ଯୋଗୁଁ ଜଳବାହିତ ରୋଗ ସମେତ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ପକ୍ଷରୁ ରୋଗ ନିରାକରଣ ଓ ପ୍ରତିରୋଧ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ ।

ଏଥିସହିତ ବ୍ୟକ୍ତିଗତ ସ୍ୱଚ୍ଛତା, ପାନୀୟ ଜଳର ବିଶୁଦ୍ଧତା, ପରିବେଶ ପରିଚ୍ଛନ୍ନତା ଏବଂ ସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ । ବନ୍ୟା ବିପର୍ଯ୍ୟୟ ପରେ କେବଳ ତୁରନ୍ତ ଚିକିତ୍ସା ନୁହେଁ, ବରଂ ଆଗାମୀ ଦିନରେ ସମ୍ଭାବ୍ୟ ରୋଗର ମୁକାବିଲା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ଏକ ବଡ଼ ଆହ୍ୱାନ। ଏଭଳି ସ୍ଥିତିରେ ମେଡିକାଲ କଲେଜ ପକ୍ଷରୁ ଡାକ୍ତରୀ ଦଳ ନିୟୋଜନକୁ ଏକ ସମୟୋଚିତ ପଦକ୍ଷେପ ଭାବେ ଦେଖାଯାଉଛି ।

Exit mobile version