କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ମଧ୍ୟରେ ରାଇକିଆ ବ୍ଲକର ଡାଙ୍ଗେଶି ଗ୍ରାମରେ ଘଟିଥିବା ତିନି ଜଣଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶୋକବାର୍ତ୍ତା ଦେଇ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନୀଷା ପ୍ରଧାନ ଏବଂ ସେମାନଙ୍କ ଶିଶୁସନ୍ତାନଙ୍କ ଦୁଃଖଦ ପ୍ରାଣହାନି ତାଙ୍କୁ ଗଭୀର ମର୍ମାହତ କରିଛି।
