ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ

ଚାଷୀଙ୍କୁ ସହାୟତା ଦେଇ ପାରୁନାହାଁନ୍ତି ବନ ବିଭାଗ, ବିଧାୟିକା ଓ ଜିଲ୍ଳାପରିଷଦ

୧୫ ଦିନ ଧରି ଚାଲିଛି ଉପଦ୍ରବ, ୫ ଏକର ଫସଲ ନଷ୍ଟ; ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ଆକଳନ

ଚାଷୀଙ୍କୁ ସହାୟତା ଦେଇ ପାରୁନାହାଁନ୍ତି ବନ ବିଭାଗ, ବିଧାୟିକା ଓ ଜିଲ୍ଳାପରିଷଦ

ସରକାରୀ ସହାୟତା ଦାବିରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ପଞ୍ଚାୟତର ବାଉଁଶଗଡ଼, ଲେମ୍ବଡ଼ି, କୋଳଥପଙ୍ଗି, କଙ୍କିଆ, ଠଣାପଲ୍ଲୀ ଓ ସଂପଡ଼ା ଆଦି ମୌଜାରେ ଗତ ୧୫ ଦିନ ଧରି ବାରାହାଙ୍କ ଉପଦ୍ରବ ଚାଷୀଙ୍କ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ବାରମ୍ବାର ପ୍ରଶାସନ ଓ ବନ ବିଭାଗକୁ ଅବଗତ କରାଯାଉଥିଲେ ମଧ୍ୟ ଏଯାଏଁ ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଫଳରେ ନିଜ ଫସଲକୁ ବାରାହାଙ୍କ କବଳରୁ ସୁରକ୍ଷା ଦେବା ପାଇଁ ଚାଷୀମାନେ ରାତିସାରା ଅନିଦ୍ରା ରହି ଜୀବନକୁ ବିପନ୍ନ କରି ଚାଷଜମି ଜଗିବାକୁ ବାଧ୍ୟ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ପୂର୍ବରୁ ଏହି ମୌଜା ଗୁଡ଼ିକରେ ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ହାତୀଙ୍କ ଦ୍ୱାରା ଫସଲ ନଷ୍ଟ ହେବାରୁ ସେମାନଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ଏବେ ପୁଣି ବାରାହା ପଲଙ୍କ ଆତଙ୍କ ସ୍ଥାନୀୟ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ହାତୀଙ୍କ ଉପଦ୍ରବ ପରେ ବାରାହାଙ୍କ ଆକ୍ରମଣ ଚାଷୀଙ୍କ ଜୀବିକା ଓ ଆର୍ଥିକ ସ୍ଥିତିକୁ ଅଧିକ ଦୁର୍ବଳ କରିଦେଇଛି । ସ୍ଥାନୀୟ ଚାଷୀଙ୍କ ପାଇଁ ଖମ୍ବଆଳୁ, ଧାନ, ବିରି ଓ କାକୁଡ଼ି ଆଦି ଫସଲ ହିଁ ଜୀବିକାର ପ୍ରମୁଖ ଆଧାର । ଏହି ଚାଷ ଉପରେ ନିର୍ଭର କରି ସେମାନେ ବର୍ଷସାରା ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ବାରାହା ପଲଙ୍କ ଅବାଧ ପ୍ରବେଶ ଯୋଗୁଁ ଏବେ ସେମାନଙ୍କ ବର୍ଷକର ପରିଶ୍ରମ ମାଟିରେ ମିଶିବାକୁ ବସିଛି ।

ପ୍ରାପ୍ତ ତଥ୍ୟ ଅନୁଯାୟୀ, ବାରାହା ପଲଙ୍କ ଉପଦ୍ରବରେ ବାମନ ପ୍ରଧାନ, ଅଧିକାରୀ ସ୍ୱାଇଁ, ନବକିଶୋର ପ୍ରଧାନ, ରାଜନ ପାତ୍ର, ନିମେଇଁ ପାତ୍ର ଓ ଶଙ୍କର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଚାଷୀଙ୍କ ପ୍ରାୟ ୫ ଏକର ଜମିରେ ହୋଇଥିବା ଖମ୍ବଆଳୁ, ଧାନ, ବିରି ଓ କାକୁଡ଼ି ଫସଲ ନଷ୍ଟ ହୋଇଛି । ଏହାଦ୍ୱାରା ଆନୁମାନିକ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆର୍ଥିକ କ୍ଷତି ହୋଇଥିବା ଜଣାପଡ଼ିଛି । ବର୍ଷକର କଠିନ ପରିଶ୍ରମ ଓ ଫସଲ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଚାଷୀମାନେ ଏହି କ୍ଷୟକ୍ଷତି ଯୋଗୁଁ ମାନସିକ ଓ ଆର୍ଥିକ ଭାବେ ଭାଙ୍ଗି ପଡ଼ିଛନ୍ତି ।

ଅନ୍ୟପକ୍ଷରେ, ବାରାହାଙ୍କ ଉପଦ୍ରବ ରୋକିବା ଦିଗରେ ବନ ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ଓ ପଦକ୍ଷେପ ମିଳୁନଥିବା ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଫଳରେ ନିଜ ଫସଲର ସୁରକ୍ଷା ପାଇଁ ସେମାନେ ନିଜେ ଅଣ୍ଟା ଭିଡ଼ିଛନ୍ତି । ରାତି ଅନିଦ୍ରା ହୋଇ ଚାଷଜମି ଜଗିବା ସହ ବାରାହା ପଲଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଏଭଳି ପରିସ୍ଥିତିରେ ଚାଷୀଙ୍କ ଜୀବନ ଓ ଜୀବିକା ଉଭୟ ବିପଦରେ ପଡ଼ିଥିବା ଦେଖାଯାଉଛି । ଚାଷୀମାନେ ବାରମ୍ବାର ରଣପୁର ବନ ବିଭାଗର ଅଧିକାରୀ ସିଧୁ ଚରଣ ସିଂଙ୍କୁ ବାରାହା ପଲଙ୍କ ଦ୍ୱାରା ଫସଲ ନଷ୍ଟ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏଥିରେ ହତାଶ ହୋଇ ଚାଷୀମାନେ ସ୍ଥାନୀୟ ବିଧାୟିକାଙ୍କୁ ମଧ୍ୟ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ତେବେ ସେଠାରୁ ମଧ୍ୟ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହେଉଛି । ସାଧାରଣରେ କହିବାକୁ ଗଲେ  ବନ ବିଭାଗ, ବିଧାୟିକା ଓ ଉକ୍ତ ଜୋନର ଜିଲ୍ଲାପରିଷଦଙ୍କ ଅବହେଳା ଯୋଗୁଁ ଚାଷୀଙ୍କ ଫସଲ ରେ ଭାରି ରକମର କ୍ଷତି ଦେଖିବାକୁ ମିଳୁଛି ବୋଲି ବାଉଁଶଗଡ଼ ରେ ଚର୍ଚ୍ଚା ହେଉଛି । ବାରାହାଙ୍କ ଏହି ଅପ୍ରତ୍ୟାଶିତ ଉପଦ୍ରବ ଚାଷୀଙ୍କ ମଧ୍ୟରେ ଭୟ, ଅସୁରକ୍ଷା ଓ ଉଦ୍‌ବେଗର ପରିବେଶ ସୃଷ୍ଟି କରିଛି ।

ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେବା ଏବଂ ସେମାନଙ୍କୁ ନିଜ ଜୀବନକୁ ବିପନ୍ନ କରି ରାତିସାରା ଜମି ଜଗିବାକୁ ପଡ଼ିବା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି । ବର୍ଷ ଶେଷରେ ଏଭଳି ଆର୍ଥିକ କ୍ଷତି ଚାଷୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିବାରୁ କ୍ଷତିପୂରଣ ସହ ସରକାରୀ ସହାୟତା ଦାବିରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲର କ୍ଷୟକ୍ଷତି ଆକଳନ କରି ତୁରନ୍ତ ଉଚିତ କ୍ଷତିପୂରଣ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ସହ ବାରାହାଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନିୟମିତ ନଜର ରଖିବା ଜରୁରୀ ହୋଇପଡ଼ିଛି । ଚାଷୀଙ୍କ ଅଭିଯୋଗକୁ ଅଣଦେଖା ନକରି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ ଓ ବନ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ଚାଷୀ ମହଲରେ ଦୃଢ଼ ଦାବି ହେଉଛି ।

Exit mobile version