ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅମଳ ସମୟରେ ବର୍ଷା ଦାଉ ସାଧିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପନିପରିବା ସହ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ପରିଶ୍ରମକୁ ମାଟିରେ ମିଶାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଚାଷୀମହଲରେ ନିରାଶା ଦେଖାଦେଇଛି । ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ପାଣି ଜମି ରହିଛି । ବିଶେଷକରି ଅମଳ ସମୟ ହୋଇଥିବାରୁ ବିଲରେ ପାଚିଲା ଧାନଗଛ ବର୍ଷା ଓ ପବନ ଯୋଗୁଁ ଶୋଇପଡ଼ିବା ସହ ଅନେକ ସ୍ଥାନରେ ପାଣିରେ ବୁଡ଼ି ରହିଛି ।

ଫଳରେ ଧାନ ଅମଳ ହ୍ରାସ ପାଇବା ସହ ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ଚାଷୀଙ୍କ ମନରେ ଭୟ ସୃଷ୍ଟି କରିଛି । ଧାନ ଅମଳ ପାଇଁ ଆଉ କିଛି ଦିନ ଅପେକ୍ଷା କରିଥିବା ଚାଷୀଙ୍କ ଆଶା ଉପରେ ବର୍ଷା ପାଣି ଢାଳି ଦେଇଛି । ଅନ୍ୟପକ୍ଷରେ, ଅଞ୍ଚଳର ବହୁ ଚାଷୀ ବାଇଗଣ, ବିନ୍‌ସ, ଟମାଟୋ ସମେତ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଲଗାଣ ବର୍ଷା ଯୋଗୁଁ ପନିପରିବା କ୍ଷେତରେ ପାଣି ଜମି ରହିବାରୁ ଗଛର ବୃଦ୍ଧି, ଫୁଲ ଓ ଫଳ ଧାରଣ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

ଅଧିକ ସମୟ ଧରି ଜମିରେ ପାଣି ରହିଲେ ଗଛ ପଚିଯିବା ସହ ଉତ୍ପାଦନ ହ୍ରାସ ପାଇପାରେ । ଏହାଦ୍ୱାରା ବଜାରକୁ ପନିପରିବା ଯୋଗାଣ ପ୍ରଭାବିତ ହେବା ସହ ଚାଷୀଙ୍କ ଆୟ ମଧ୍ୟ କମିବାର ଆଶଙ୍କା ରହିଛି । ଚାଷ ପାଇଁ ବିହନ, ସାର, କୀଟନାଶକ ଓ ଶ୍ରମିକ ବାବଦରେ ଖର୍ଚ୍ଚ କରିଥିବା ଅର୍ଥ ଫେରିପାଇବା ନେଇ ଚାଷୀମାନେ ଏବେ ଚିନ୍ତାରେ । ଧାନ ଓ ପନିପରିବା ଚାଷ ଅନେକ ପରିବାରର ଜୀବିକାର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହି କ୍ଷତି ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ରହିଛି । 

ଏଭଳି ସମୟରେ ଚାଷୀଙ୍କୁ ତୁରନ୍ତ ସହାୟତା ନମିଳିଲେ ଆଗାମୀ ଦିନରେ ସେମାନଙ୍କ ପାଇଁ ପରିସ୍ଥିତି ଆହୁରି ସଙ୍ଗିନ ହୋଇପାରେ । ତେଣୁ କୃଷି ବିଭାଗ ଓ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଧାନ ଓ ପନିପରିବା ଫସଲର କ୍ଷୟକ୍ଷତି ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି । ଏଥିସହ ଚାଷୀଙ୍କୁ ଆବଶ୍ୟକ କୃଷି ପରାମର୍ଶ, ଫସଲର ସୁରକ୍ଷା ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଏବଂ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳର ଚାଷୀମହଲରୁ ଦାବି ହୋଇଛି ।

Exit mobile version