ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଗତକାଲି ଦିନତମାମ ପ୍ରବଳ ବର୍ଷା ହେବା ଫଳରେ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଟିକାବାଲି ବ୍ଲକ ଓ ପାବୁରିଆ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ବିଶେଷକରି ଟିକାବାଲି ଓ ପାବୁରିଆ ଅଞ୍ଚଳକୁ ସଂଯୋଗ କରୁଥିବା ସେତୁ ନିକଟରେ ପହଞ୍ଚି ବନ୍ୟାଜଳ ପ୍ରବାହର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ଏହା ସହିତ ମାନ୍ୟବର ମନ୍ତ୍ରୀ ଜି. ଉଦୟଗିରିରୁ ଟିକାବାଲି ଅଞ୍ଚଳ ଗସ୍ତ କରି ‘ଅର୍ଣ୍ଣବ’ ବାତ୍ୟାର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ସନ୍ଧ୍ୟାରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମୀ ଗ୍ରାମ ପଞ୍ଚାୟତର ଲୁହୂରବାଲୀ ଗ୍ରାମକୁ ଗସ୍ତ କରି ସେଠାକାର ପରିସ୍ଥିତି ମଧ୍ୟ ପରିଦର୍ଶନ କରିଥିଲେ ।
ବାତ୍ୟାଜନିତ ବର୍ଷା ଓ ବନ୍ୟାଜଳ ଯୋଗୁଁ ଜନସାଧାରଣଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ବନ୍ୟାଜଳ ପ୍ରବାହିତ ହେଉଥିବା ସେତୁ ଓ ରାସ୍ତା ଅତିକ୍ରମ ନକରିବାକୁ ଜନସାଧାରଣଙ୍କୁ ସତର୍କ କରାଯାଇଛି । ଏଥିସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହ ନିଜର ଓ ନିଜ ପରିବାରର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରାଯାଇଛି ।
