ବାତ୍ୟା ଅର୍ଣ୍ଣବ ପ୍ରଭାବରେ ୮ ଘଣ୍ଟା ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ଉପଭୋକ୍ତା


ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରୀ କାଳୀନ ସମୟକୁ ଗୁରୁତ୍ୱ ଦେଇ ବିଦ୍ୟୁତ ଗ୍ରିଡର ସୁରକ୍ଷା, ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନ ହାନି ସୁନିଶ୍ଚିତ କରିବା ପାଇଁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆ ଯାଇଥିଲା । ବିଦ୍ୟୁତ ସେବା ଅବ୍ୟାହତ ରଖିବା, ତୁରନ୍ତ ପୁନରୁଦ୍ଧାର ପାଇଁ କମାଣ୍ଡ ସ୍ତରୀୟ ନେଟ ୱର୍କ ସ୍ଥାପନ, ଜୋନାଲ ସ୍ତରୀୟ ଏବଂ ୧୧ ଟି ସମ୍ବେଦନ ଶୀଳ ସ୍ଥାନରେ ଫିଲ୍ଡ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି ।

ଏସବୁ ଵ୍ୟଵସ୍ଥା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଟିପିଏସଓଡିଏଲ ପକ୍ଷରୁ ବୁଧବାର ହିଞ୍ଜିଳିକାଟୁ ସହର ଓ ଗ୍ରାମାଞ୍ଚଳରେ ପାଖାପାଖି ୮ ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ ଦିନ ସାରା ଲଗାଣ ବର୍ଷା ଜାରି ରହିଥିବା ବେଳେ ପବନର ବେଗ କିଛି ସମୟ ପାଇଁ ତୀବ୍ର ଅନୁଭୂତ ହୋଇଥିଲା । ଜନଜୀବନ ପ୍ରଭାବିତ ହୋଇ ଥିଲା ବେଳେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନର ନିର୍ଦ୍ଦେଶ କ୍ରମେ ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ଲୋକେ ପଦାକୁ ନ ବାହାରି ଘରେ ଭିତରେ ସୁରକ୍ଷିତ ଭାଵେ ଦିନ ଅତିବାହିତ କରିଥିଲେ । ଦୋକାନ ବଜାର ପ୍ରାୟତଃ ଶୂନଶାନ ଥିବା ବେଳେ କାଁ ଭାଁ ଦୋକାନ ଖୋଲା ରହିଥିଲା ।

କିନ୍ତୁ ଜରୁରୀ ସେବା ଯୋଗାଇ ଦେବା ପାଇଁ ପୌର, ୱାଟ କୋ, ମେଡିକାଲ, ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଥିବା ଦେଖା ଯାଇଥିଲା । ସହରରେ ସଫେଇ,ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ସେବା ଅବ୍ୟାହତ ରହିଥିଲା । କିନ୍ତୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଜରୁରୀ ସେବା ପାଇଁ ଆବଶ୍ୟକ ହେଉଥିବା ବିଦ୍ୟୁତ ସେବା ଦୀର୍ଘ ୮ ଘଣ୍ଟା ଧରି ବ୍ୟାହତ ହେବା ପରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ଏପରିକି ଅନ୍ଧାର ଭିତରେ ରହି ଜରୁରୀ କାମ କରିବାକୁ ବାଧ୍ୟ ହୋଇଥିଲେ ।

ଡିସି ପାୱାର ସିଷ୍ଟମ ଥିବା ପରିବାର କିଛି ସମୟ ପାଇଁ ଆଶ୍ୱସ୍ତି ଅନୁଭବ କରିଥିବା ବେଳେ ବେଳେ ଅନ୍ୟ ପରିବାର ଅନ୍ଧାର ଭିତରେ ରହି ସମୟ ବିତାଇବା ଛଡ଼ା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ହଇରାଣ ହରକତ ହେବା ଜଣାପଡ଼ିଛି । ଟିପିଏସଓଡିଏଲ ର ବିଦ୍ୟୁତ୍ କାଟ ନେଇ ସହରର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ସ୍ଥାନୀୟ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ସେ ଯାହା ହେଉ ୮ ଘଣ୍ଟା ପରେ ବିଦ୍ୟୁତ୍ ଯୋଗାଣ ହେବା ପରେ ସହରବାସୀଙ୍କୁ ବିଭିନ୍ନ ଅସୁବିଧାରୁ ଆଶ୍ୱସ୍ତି ମିଳିଛି । ଖବର ଲେଖା ହେଲା ସୁଦ୍ଧା ନିକଟସ୍ଥ ଗ୍ରାମାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଥିବା ଜଣାପଡ଼ିଛି ।ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Exit mobile version