ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଲଗାତାର ବର୍ଷା ସାଙ୍ଗକୁ କୋହଲା ପବନ ଯୋଗୁଁ ଶୀତର ପ୍ରକୋପ ବଢ଼ିଥିବା ବେଳେ ସାଧାରଣ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଓ ପବନ ଯୋଗୁଁ ବଜାରଘାଟ ଖାଁ ଖାଁ ଲାଗୁଥିବା ବେଳେ ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରୁ ଅଞ୍ଚଳରେ ବର୍ଷା ସହ ପ୍ରବଳ ପବନ ଆରମ୍ଭ ହୋଇଥିଲା। ସକାଳେ କିଛି ସମୟ ପାଇଁ ବର୍ଷା ଓ ପବନର ତୀବ୍ରତା କମିଥିଲେ ମଧ୍ୟ ପୁଣି ସକାଳ ୧୦ଟାରୁ ପବନର ଝଟକା ସହ ବର୍ଷା ଆରମ୍ଭ ହୋଇଥିଲା।

ଏହାର ପ୍ରଭାବରେ ଯାତାୟାତ ସହ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ଦ୍ୱିତୀୟ ଦିନ ପାଇଁ ବନ୍ଦ ରଖାଯାଇଛି। ଫଳରେ ରାୟପୁରରୁ ଗୋପାଳପୁର ମଧ୍ୟରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ଠପ୍‌ ହୋଇପଡ଼ିଛି। ଏଥିସହ ଦାରିଙ୍ଗବାଡ଼ିରୁ ସୋରଡ଼ା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଘାଟି ରାସ୍ତା ବନ୍ଦ ଓ ଲଗାଣ ବର୍ଷା ଯୋଗୁଁ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଛି l ଅନ୍ୟ ପକ୍ଷରେ,

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବାଲିଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଓମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଏହି ସମସ୍ତ ବ୍ୟବସ୍ଥାର ତଦାରଖ ବାଲିଗୁଡ଼ା ବିଡିଓ ଅକ୍ଷୟ କୁମାର ମଲ୍ଲିକ ଓ ତହସିଲଦାର ଦୀପ୍ତି ପ୍ରକାଶ ବେହେରା କରୁଛନ୍ତି । ଉଭୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପାଗର ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଲୋକଙ୍କୁ ସତର୍କ ରହିବା ସହ ଅଯଥାରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି ।

Exit mobile version