ବାତ୍ୟା ଭୟରେ ସିଲ୍‌ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍‌; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଡାଳ ଓ ପତ୍ର ରାସ୍ତା ଉପରେ ପଡ଼ି ଯାତାୟାତ ରେ ବାଧା ସୃଷ୍ଟି କରିଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ପଟରୁ ବନ୍ଦ କରିଦିଆଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି। ବାତ୍ୟାର ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇମାଳା ଚେକ୍‌ଗେଟ୍‌ଠାରେ ରାସ୍ତାକୁ ବନ୍ଦ କରାଯାଇଛି। ସେଠାରେ ପୁଲିସ ମୁତୟନ ରହି ଯାନବାହନ ଚଳାଚଳ ଉପରେ ନଜର ରଖିଛି। ଦାରିଙ୍ଗବାଡ଼ି ପଟରୁ ଭଞ୍ଜନଗର , ସୋରଡ଼ା ଓ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ଗଞ୍ଜାମ ଜିଲ୍ଲା ଆଡ଼କୁ ଯିବାକୁ ଅନୁମତି ଦିଆଯାଉନାହିଁ। ସେହିପରି ଗଞ୍ଜାମ ପଟରୁ କନ୍ଧମାଳ ଆସୁଥିବା ଯାନବାହନକୁ ମଧ୍ୟ ଗାଜଲବାଡ଼ି ଘାଟି ଦେଇ ଯିବାକୁ ବାରଣ କରାଯାଇଛି। ସୋରଡ଼ା ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ପଟରେ ମଧ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗାଜଲବାଡ଼ି ଘାଟି ଅଣଓସାରିଆ ଓ ବିପଦପୂର୍ଣ୍ଣ ହୋଇଥିବାରୁ ବର୍ଷା ଋତୁରେ ଏଠାରେ ଭୂସ୍ଖଳନର ଆଶଙ୍କା ରହିଥାଏ । ପୂର୍ବରୁ ମଧ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ଏହି ଘାଟିରେ ଏକାଧିକ ଥର ଭୂସ୍ଖଳନ ଘଟିଥିବା ନଜିର ରହିଛି। ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଘାଟିକୁ ବନ୍ଦ କରିଛି। ଅନ୍ୟପକ୍ଷରେ, ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ମୋ ବସ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳୀ, ହାତୀମୁଣ୍ଡା, ତାମାଙ୍ଗି ଓ କାଟିଙ୍ଗିଆ ଅଞ୍ଚଳକୁ ଯାଇଥିବା ବସ୍‌ଗୁଡ଼ିକ ରାସ୍ତାରେ ଅଟକି ରହିଥିବା ସୂଚନା ମିଳିଛି ।

ଫଳରେ ଯାତ୍ରୀଙ୍କ ଯାତାୟାତ ସହ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗାଜଲବାଡ଼ି ଘାଟି ବନ୍ଦ ରହିଥିବାରୁ ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲ୍ଲାର ଅଡ଼ବା ଓ ମୋହନା ହୋଇ ବ୍ରହ୍ମପୁର ଯିବା ରାସ୍ତା ଏବେ ବିକଳ୍ପ ମାର୍ଗ ଭାବେ ରହିଛି। ବାତ୍ୟାଜନିତ ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଘାଟି ଅଞ୍ଚଳରେ ନଜର ରଖାଯାଇଥିବା ବେଳେ ଯାତ୍ରୀମାନଙ୍କୁ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି ।

Exit mobile version