ଅତିରିକ୍ତ ଜିଲ୍ଲାପାଳ ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରି ପଥଚାରୀଙ୍କୁ କରାଇଲେ ସଚେତନ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମନୋଜ କୁମାର ପାଢୀଙ୍କ ରିପୋର୍ଟ: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନିନ୍ଦ୍ର ହୋନନାଗା ଆଜି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍ ଅଞ୍ଚଳରେ ଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକ ପରିଦର୍ଶନ କରିଥିଲେ । ଆର.ଉଦୟଗିରି ବ୍ଲକର ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରତିକୂଳ ପାଗ ପରିସ୍ଥିତିରେ ସୁରକ୍ଷା ସତର୍କତା ସମ୍ପର୍କରେ ପଥଚାରୀଙ୍କୁ ସଚେତନ କରିଥିଲେ ।

ପଥଚାରୀ ମାନଙ୍କୁ ମୁଖ୍ୟତଃ ବର୍ଷା ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଏ ଅଞ୍ଚଳ ଦେଇ ଯିବା ଆସିବା କରନ୍ତୁ ନାହିଁ , କାରଣ କେଉଁ ମୁହୂର୍ତ୍ତରେ ପାହାଡ ଉପରୁ ମାଟି ଅତଡ଼ା ଧସିବା ତଥା ଭୂସ୍ଖଳନ ହେବା ସମ୍ଭାବନା ରହିଛି । ସୁରକ୍ଷିତ ଦୃଷ୍ଟିରୁ ବର୍ଷା ସମୟରେ କି ବର୍ଷା ଛାଡ଼ିଯିବା ପରେ ପରେ ଏ ଅଞ୍ଚଳ ଦେଇ ଯିବା ସୁରକ୍ଷିତ ନୁହେଁ କହି ଯିବା ଆସିବା କରୁଥିବା ଲୋକ ମାନଙ୍କୁ ସଚେତନ କରାଇଥିଲେ ।

ଚିହ୍ନଟ ହୋଇଥିବା ସମ୍ପୃକ୍ତ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକ ପୂର୍ବରୁ , ପୂର୍ତ୍ତ ବିଭାଗ ପକ୍ଷରୁ ପଥଚାରୀ ମାନଙ୍କ ଉଦ୍ଦେଶ୍ୟରେ “ଆଗରେ ଭୂସ୍ଖଳନ ଅଞ୍ଚଳ ଅଛି ଯିବା ଆସିବା କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଗାଡ଼ିର ଗତି ଧୀର ରଖନ୍ତୁ ବୋଲି ସତର୍କ ତଥା ସଚେତନତା ବ୍ୟାନର ଲଗାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହୋନନାଗାଙ୍କ ଏହି ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ ବେଳେ ଆର .ଉଦୟଗିରି ବିଡିଓ, ଅନ୍ୟ ଅଧିକାରୀ , କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version