ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ବାଣପୁର  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ଶହେ ଚାଳିଶ ତମ ଜୟନ୍ତୀ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଜୟନ୍ତୀ କବିଙ୍କ ଜନ୍ମସ୍ଥାନ ବାଣପୁର ସ୍ଥିତ କୃତ୍ତିବାସ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଶାସକ ତଥା ବିଶିଷ୍ଟ ସ୍ତମ୍ଭକାର ଡ଼କ୍ଟର ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଗୋଦାବରୀଶମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ସୁରପ୍ରସାଦ ନରେନ୍ଦ୍ରସିଂହ ବର୍ମା, ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି,

ସମ୍ମାନୀୟ ବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ସିତେଶ ତ୍ରିପାଠୀ, କବି ଓ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ଗୋଦାବରୀଶଙ୍କ ଅମର ସାହିତ୍ୟ କୃତି ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନିକ ସଭା ପୂର୍ବରୁ ଚିଲିକା ସାହିତ୍ୟ ପରିଷଦ ପକ୍ଷରୁ ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏବଂ କବି ଶିଶିର କୁମାର ଦାସ, କବି ରଙ୍କନାଥ ସେଠି ଓ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ରେ ଶତାଧିକ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

ଚିଲିକା ସାହିତ୍ୟ ସମାଜ ର ସଭାପତି କବି ବାଳମୁକୁନ୍ଦ ଦାସ ଙ୍କ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ଓ ଓଡିଶା ସାହିତ୍ୟ ଏକାଡେମୀ ର ଉପ ସଚିବ ସଞ୍ଜୟ କୁମାର ଛୁଆଲସିଂ ଅତିଥି ପ୍ରଦାନ କରିବାପରେ ଗୋଦାବରୀଶ ଙ୍କ ଫୋଟୋ ଚିତ୍ର ରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ମା ଭଗବତୀ କଳା ନିକେତନ ର ଛାତ୍ରୀ ମାନଙ୍କ ଦ୍ୱାରା ଉଦବୋଧନୀ ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଚିଲିକା ସାହିତ୍ୟ ପରିଷଦର କବି ଓ କବୟିତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଧନ୍ୟବାଦ ପ୍ରଦାନ କରିଥିଲେ ବିଶିଷ୍ଟ କବି ତଥା ଚିଲିକା ଭାଷା ସୁରକ୍ଷା ମଞ୍ଚ ର ସମ୍ପାଦକ ଆଇନଜୀବୀ ଶେଷଦେବ ମହାରଣା ।

Exit mobile version