କଣ୍ଟାବାଞ୍ଜି ପ୍ରେସ କ୍ଲବର ମାନବୀୟ ପଦକ୍ଷେପ, ୫୦ ବରିଷ୍ଠ ନାଗରିକଙ୍କୁ ମିଳିଲା ନିଶୁଳ୍କ ଆୟୁଷ୍ମାନ କାର୍ଡ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ହରିଭବନଠାରେ ବରିଷ୍ଠ ନାଗରିକଙ୍କ ପାଇଁ ନିଶୁଳ୍କ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ସହରର ବିଭିନ୍ନ ୱାର୍ଡର ୭୦ ବର୍ଷ ବା ତଦୂର୍ଦ୍ଧ୍ୱ ବୟସର ୫୦ରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି । ସରକାରୀ ସ୍ୱାସ୍ଥ୍ୟସେବା ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଅନେକ ଯୋଗ୍ୟ ହିତାଧିକାରୀ ଯୋଜନା ବିଷୟରେ ଜାଣିଥିଲେ ମଧ୍ୟ ସମୟ ଓ ଅନ୍ୟ ଅସୁବିଧା ଯୋଗୁଁ କାର୍ଡ କରିପାରିନଥିଲେ । ଏହାକୁ ଦୃଷ୍ଟିରେ ରଖି ପ୍ରେସ କ୍ଲବ ଏହି ଶିବିର ଆୟୋଜନ କରିଥିଲା ।

ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ତାଲିକାଭୁକ୍ତ ହସ୍ପିଟାଲରେ ଏହି ସୁବିଧା ମିଳିବ । ଶିବିରରେ ପ୍ରେସ କ୍ଲବ ସଭାପତି ସୁରଦାସ ବାଗ, ସମ୍ପାଦକ ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ହନି ସିଂହ, ଉପସଭାପତି ମନୋଜ ଶର୍ମା, ପୂର୍ବତନ ସଭାପତି ପ୍ରଭଜିତ ସିଂହ ସାଲୁଜା, ପରାମର୍ଶଦାତା ଆଶିଷ ଖଇତାନ, ସଦସ୍ୟ ଦେବେଶ ସିଂଘଲ, କମଲ ଅଗ୍ରୱାଲ ଓ ସିଏସସି କେନ୍ଦ୍ରର ଅଶୋକ ରାଏ, ଦୀପକ ପୁଟେଲ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗକୁ ମଧ୍ୟ ଏହି ଶିବିର ଜାରି ରହିବ ଏବଂ ଆବଶ୍ୟକତା ଅନୁଯାୟୀ ଘରେ ଘରେ ପହଞ୍ଚି ସେବା ଯୋଗାଇ ଦିଆଯିବ ବୋଲି ସଭାପତି ସୂଚନା ଦେଇଛନ୍ତି ।

Exit mobile version