ବାଜା ବାଣ ରୋଷଣୀରେ ହେଲା କୁଆଁରୀ ବିବାହ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  କୁମାର ପୁର୍ଣିମାର ଅଵ୍ୟବହିତ ପୂର୍ବରୁ ସ୍ଥାନୀୟ ବିଭିନ୍ନ ଗ୍ରାମରେ କୁଆଁରୀ ବିବାହର ପରମ୍ପରା ବହୁ ଦିନରୁ ରହି ଆସିଛି ।  ବିବାହ କରି ନଥିବା ଝିଅମାନେ ମିଛି ମିଛିକା ବାହାଘର କରି ଭୋଜି ଭାତ ଖାଇ ଏହାର ଆନନ୍ଦ ନେଇଥାନ୍ତି । ଶୁଣାଯାଏ ପିଲାମାନଙ୍କ ଏହି ଖେଳ ଦ୍ୱାରା ଭବିଷ୍ୟତରେ ସେମାନଙ୍କର ବିବାହ ସମସ୍ୟା ଦୂର ହୋଇ ଯାଇଥାଏ । ଗତ ରାତିରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବଳଭଦ୍ରପୁର ଗ୍ରାମରେ ବର ମନସ୍ବିନୀ ଓ କନ୍ୟା ସାଇସ୍ମୃତି ମଧ୍ୟରେ ବାହାଘର ଧୂମଧାମରେ ଅନୁଷ୍ଠିତ ହୋଇଛି ।

ଅଙ୍କିତା ଓ ମୋନାଲିସାଙ୍କ ମଧ୍ୟସ୍ଥତାରେ ବ୍ରାହ୍ମଣ ଆଶୁତୋଷ ମନ୍ତ୍ରପାଠ କରି ବେଦିରେ ଅଗ୍ନି ଚାରିପଟେ ପ୍ରଦକ୍ଷଣ କରାଇ ବିବାହ ସମ୍ପନ୍ନ କରାଇଛନ୍ତି । ଶାଳୀ ଆକାଂକ୍ଷା ହାତ ଗଣ୍ଠି ଫିଟାଇ ତାଙ୍କ ପାଉଣା ଆଦାୟ କରିଛନ୍ତି । ବାରିକ ଶୁଭ୍ରଜିତ, ଶଙ୍ଖୁଆ ଅନୁରାଗ, ବରଧରା ଆରାଧ୍ୟା ନିଖୁଣ ଭାବେ ତାଙ୍କ କର୍ତ୍ତବ୍ୟ କରିଥିବା ବେଳେ ବୈଶାଖୀ ସମସ୍ତ ଚରିତ୍ର ଙ୍କୁ ବେଶ କରାଇଥିଲେ ଓ ଅଭିପ୍ସା ବାହାଘରର ଫୋଟୋ ଉଠାଇଥିଲେ ।

ସ୍ମିତାଞ୍ଜଳି ଓ ଅନ୍ଵେଷାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ନିର୍ବନ୍ଧ,ଜାଇବଡି ଅନକୁଳ, ଠାକୁରାଣୀ ଗାଧୁଆ ଇତ୍ୟାଦି ଵିଧି ପୂର୍ବକ କରାଯାଇଥିଲା । ବାହାଘର ପାଇଁ ବର ରୋଷଣୀ କରି କନ୍ୟା ଘରକୁ ଆସିଥିଲେ ଓ ବାହାଘର ପରେ ଗ୍ରାମବାସୀ ଭୋଜିଭାତ ଖାଇଥିଲେ । ସେହିପରି ସ୍ଥାନୀୟ ଡେଙ୍ଗ ଗ୍ରାମରେ ମଧ୍ୟ କନ୍ୟା ମାନେ ଏହି ଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

Exit mobile version