ଢୋଲ-ନିଶାଣରେ କମ୍ପିଲା ବେଲପଡା, ଭାବବିହ୍ୱଳ ବିଦାୟ ନେଲେ ମା’ ଦୁର୍ଗା

– ଧୁମଧାମରେ ସମ୍ପନ୍ନ ହେଲା ମା’ଙ୍କ ଭସାଣି ଯାତ୍ରା, ଭକ୍ତିରେ ବିଭୋର ହେଲା ବେଲପଡା

ବେଲପଡା  (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଦୁର୍ଗାପୂଜା ସମାପ୍ତି ପରେ ଗୁରୁବାର ବେଲପଡାରେ ଧୁମଧାମରେ ଅନୁଷ୍ଠିତ ହୋଇଛି ମା’ଙ୍କ ଭସାଣି ଯାତ୍ରା । ଢୋଲ, ନିଶାଣ, ଘଣ୍ଟର ତାଳେ ସମଗ୍ର ବେଲପଡା ଉତ୍ସବମୁଖର ହୋଇ ଉଠିଥିଲା । ସୁସଜ୍ଜିତ ରଥରେ ବିରାଜମାନ ମା’ ଦୁର୍ଗାଙ୍କ ପ୍ରତିମାକୁ ନେଇ ଭବ୍ୟ ଶୋଭାଯାତ୍ରା ବାହାରିଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ବେଳେ ‘ଜୟ ମା’ ଦୁର୍ଗା’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ ।

ଢୋଲର ତାଳ ସାଙ୍ଗକୁ ନିଶାଣର ଗର୍ଜନ ଓ ଯୁବକମାନଙ୍କ ଉତ୍ସାହଭରା ନୃତ୍ୟ ଶୋଭାଯାତ୍ରାରେ ନୂଆ ରଙ୍ଗ ଭରିଦେଇଥିଲା । ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ ମା’ଙ୍କ ମେଢ଼ ଆଗକୁ ବଢୁଥିବା ବେଳେ ପଛରେ ଶତାଧିକ ଭକ୍ତଙ୍କ ଉପସ୍ଥିତି ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା । ଭସାଣିସ୍ଥଳରେ ପହଞ୍ଚିବା ପରେ ଭକ୍ତିପୂର୍ଣ୍ଣ ପରିବେଶରେ ମା’ଙ୍କ ପୂଜାର୍ଚନା ପରେ ପ୍ରତିମା ବିସର୍ଜନ କରାଯାଇଥିଲା । ମା’ଙ୍କୁ ଭାବବିହ୍ୱଳ ବିଦାୟ ଦେଇଥିଲେ ଭକ୍ତଗଣ ।

Exit mobile version