ସଡ଼କ ଦୁର୍ଘଟଣାରେ ବାୟୁସେନା ଯୁବ ସୈନିକ ମୃତ୍ୟୁ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତୀୟ ପ୍ରତିରକ୍ଷା ବିଭାଗର ବାୟୁ ସେନାରେ କାର୍ଯ୍ୟରତ ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ବଡ଼ ଧୋବାସାହିର ଯୁବ ସୈନିକ ଚିଣ୍ଟୁ ସେଠୀ ଗୁରୁବାର ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କ ଠାରୁ ଜଣାପଡ଼ିଛି । ଗଣ୍ଡଳା ଗ୍ରାମ ନିବାସୀ ସଂଯୁକ୍ତା ସେଠୀଙ୍କ ଏକ ମାତ୍ର ପୁଅ ଚିଣ୍ଟୁ ଗତ ଦୁଇ ବର୍ଷ ପୂର୍ବେ ବାୟୁ ସେନା ବିଭାଗରେ ସୈନିକ ଭାବେ ନିଯୁକ୍ତି ପାଇ ଆସାମ ଏୟାର ବେସରେ ନିୟୋଜିତ ହୋଇଥିଲେ ।

ସେ କୌଣସି ଏକ କାମରେ ବାଇକ ଚଳାଇ କାମାକ୍ଷା ସହରକୁ ଆସିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେନା ବିଭାଗ ପକ୍ଷରୁ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ଖବର ଜଣାଇ ଦିଆଯାଇଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମା ସଂଯୁକ୍ତା ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଖବର ଲେଖା ହେଲା ସୁଦ୍ଧା ମୃତ ବାୟୁ ସେନା ସୈନିକ ଚିଣ୍ଟୁଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚି ନ ଥିବା ଜଣାପଡ଼ିଛି । ଚିଣ୍ଟୁଙ୍କ ବିୟୋଗ ସମ୍ବାଦ ପାଇ ବହୁ ସହପାଠୀ ଓ ଆତ୍ମୀୟ ସ୍ୱଜନ ଦୁଃଖରେ ମ୍ରିୟମାଣ ହୋଇ ମର୍ମାହତ ହୋଇଛନ୍ତି । ତାଙ୍କ ବିୟୋଗ ଖବର ପ୍ରସାରଣ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Exit mobile version