ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ – ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍‌ରେ BMC

କୁଆଖାଇ କୁତ୍ରିମ ପୋଖରୀର ଶୋଚନୀୟ ଅବସ୍ଥା : ଅସନ୍ତୋଷ ପରେ ଆରମ୍ଭ ହେଲା ଜୋରଦାର ସଫେଇ

ଘଟଣାସ୍ଥଳରେ ପହଞ୍ଚି ନିଜେ ତଦାରଖ କଲେ ମେୟର –

ପ୍ରଶାସନିକ ଅବହେଳା ଓ ଦାୟିତ୍ୱହୀନତା –  

ଗଣେଶ ପୂଜାରୁ ସଫା ହୋଇନଥିଲା ପୋଖରୀ –

ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଭସାଣି ପୂର୍ବରୁ କୁଆଖାଇ କୁତ୍ରିମ ପୋଖରୀର ଶୋଚନୀୟ ଅବସ୍ଥା : ଅସନ୍ତୋଷ ପରେ ଆରମ୍ଭ ହେଲା ଜୋରଦାର ସଫେଇ l ରାଜଧାନୀରେ ଦୁର୍ଗାପୂଜା ଶେଷ ହେବା ପରେ ଆରମ୍ଭ ହୋଇଛି ମା’ଙ୍କ ପ୍ରତିମା ବିସର୍ଜନ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ କୁଆଖାଇ ନଦୀ ପଠାରେ କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି । ମାତ୍ର ବିସର୍ଜନ ପୂର୍ବରୁ ଏହି ପୋଖରୀଗୁଡ଼ିକର ଶୋଚନୀୟ ଅବସ୍ଥା ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା ।

ଅଭିଯୋଗ ଅନୁଯାୟୀ, ଗଣେଶ ପୂଜା ଭସାଣି ସମୟରୁ ପ୍ରସ୍ତୁତ କରାଯାଇଥିବା ଏହି କୁତ୍ରିମ ପୋଖରୀଗୁଡ଼ିକୁ ଦୀର୍ଘ ଦିନ ହେବ ସଫା କରାଯାଇ ନଥିଲା। ପୋଖରୀର ଦୂଷିତ ଓ ଅପସ୍କାର ପାଣିରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବାରୁ ସେଠାରେ ସାଧାରଣ ଲୋକ ଠିଆ ହେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ଯେଉଁ ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ଗତ କେଇଦିନ ହେବ ଅପାର ଭକ୍ତି ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଉଥିଲା, ଶେଷରେ ତାଙ୍କ ପ୍ରତିମାକୁ ଏପରି ନର୍ଦମା ସଦୃଶ ପାଣିରେ ବିସର୍ଜନ କରିବାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ପ୍ରଶାସନ ଏବଂ BMC କେବଳ ପ୍ରେସ୍ ମିଟ୍ ସବୁ କିଛି ଠିକ୍‌ଠାକ୍ ଚାଲିଛି ବୋଲି ଦାବି କରୁଥିଲେ ମଧ୍ୟ, ଗ୍ରାଉଣ୍ଡ ଜିରୋକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରାଯାଉ ନଥିବା ସ୍ପଷ୍ଟ ହୋଇଥିଲା । ଯଦି ପୂର୍ବରୁ କର୍ମଚାରୀମାନେ ସେଠାକୁ ଯାଇ ତଦାରଖ କରିଥାନ୍ତେ, ତେବେ କୁଆଖାଇ ନଦୀ ପଠାରେ ଥିବା ପୋଖରୀର ଅବସ୍ଥା ଏତେ ଶୋଚନୀୟ ହୋଇନଥାନ୍ତା ।

ଖବର ପାଇବା ପରେ ବିଏମସି ମେୟର ସୁଲୋଚନା ଦାସ ନିଜେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। କୁତ୍ରିମ ପୋଖରୀର ଦୁରବସ୍ଥା ଦେଖି ସେ ତୁରନ୍ତ ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଖରୀରୁ ଦୂଷିତ ପାଣି ଓ ଆବର୍ଜନା ନିଷ୍କାସନ କରାଯାଇ ନୂଆ ପାଣି ଭର୍ତ୍ତି କରିବା କାମ ଜୋରସୋରରେ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କ ଆବେଗ ଓ ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗାମୀ ଦିନରେ ଏପରି କାର୍ଯ୍ୟପନ୍ଥା ପ୍ରତି ଆଗୁଆ ସଜାଗ ରହିବା ପ୍ରତି ସାଧାରଣରେ ଦାବି ହୋଇଛି ।

Exit mobile version