ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କଣ୍ଟାବାଞ୍ଜି ସହର ଓ ଆଖପାଖ ଅଞ୍ଚଳରେ ଭାଲୁ ଆତଙ୍କକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ନିକଟରେ ଡୁମେରଚୁଆଁ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବନ ବିଭାଗକୁ ଲିଖିତ ଦାବିପତ୍ର ଦିଆଯାଇଛି । ଭାଲୁକୁ ତୁରନ୍ତ ସୁରକ୍ଷିତ ଭାବେ ଧରିବା, ପାଟ୍ରୋଲିଂ ବଢାଇବା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି । କମିଟି କହିଛି, ଭାଲୁ ଗତିବିଧି ଯୋଗୁଁ ସକାଳ ଓ ସନ୍ଧ୍ୟାରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି ।

ଏହି ଅବସରରେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା AI ଦ୍ୱାରା ତିଆରି ନକଲି ଭାଲୁ ଫଟୋ-ଭିଡିଓ ସମ୍ପର୍କରେ ବନ ବିଭାଗ ଅଧିକାରୀ ସିଦ୍ଧାନ୍ତ ସାହୁଙ୍କୁ ଅବଗତ କରାଯାଇଥିଲା । ଏଭଳି ଭ୍ରମାତ୍ମକ ଖବର ଅଯଥା ଆତଙ୍କ ସୃଷ୍ଟି କରୁଥିବାରୁ ସତ୍ୟତା ଯାଞ୍ଚ ନ କରି ଶେୟାର ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ସେହିପରି ଡୁମେରଚୁଆଁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ମୃତକଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାରେ କ୍ଷତିପୂରଣ ରାଶି ଜମା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଭାପତି ବିଶାଳ ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ, ସମ୍ପାଦକ ଜିତୁ ସୁନା, କୋଶଳୀ କଳାକାର ଶୋଭିତ ତାଣ୍ଡି ଓ ସଦସ୍ୟ ଦୁଃଖନାଶନ ମଲ୍ଲିକ ଉପସ୍ଥିତ ଥିଲେ ।

Exit mobile version