ରାଈଦାମୋଦର ବ୍ରତ ପାଇଁ ହବିଷ୍ୟାଳୀ କେନ୍ଦ୍ର ପ୍ରସ୍ତୁତ ହେଲାଣି – ଜିଲ୍ଲାପାଳ ଙ୍କ କ୍ଷେତ୍ର ପରିଦର୍ଶନ

କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ।

ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଚଳିତ ବର୍ଷ ର ହବିଷ ବ୍ରତ ଅକ୍ଟୋବର ମାସ ୨୬ ତାରିଖ ରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ।ନଭେମ୍ବର ୨୪ ତାରିଖରେ ଏହା ସମାପ୍ତ ହେବ । ଏହି ପବିତ୍ର ବ୍ରତକୁ ସୁଚାରୁ ରୁପେ ଓ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଆଜି ତିନୋଟି ଯାକ ହବିଷ୍ୟାଳୀ କେନ୍ଦ୍ର ଅର୍ଥାତ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ,ବୃନ୍ଦାବତୀ ନିବାସ ଓ ମୁନିସିପାଲ କଲ୍ୟାଣ ମଣ୍ଡପ ମୋଚି ସାହି କୁ ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନ ଙ୍କୁ କାର୍ଯ୍ୟ ତ୍ବରାନ୍ବିତ ସହ ଅକ୍ଟୋବର ୨୪ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ପବିତ୍ର କାର୍ତ୍ତିକ ବ୍ରତ ରେ ହବିଷ୍ୟାଳୀ ମା ମାନେ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଥିଲେ । ମା ମାନଙ୍କର ସୁରକ୍ଷିତ ରହଣି, ସ୍ନାନ, ଶୌଚ ବ୍ୟବସ୍ଥା,ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ ସେବନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା,ଦର୍ଶନ ଯାତାୟାତ ପାଇଁ ଗାଡି ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି ସମସ୍ତ ବିଷୟ କୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଗୁଡ଼ିକ କେଉଁ କେନ୍ଦ୍ର ର କେଉଁଠାରେ କରାଯିବ ତାହା କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ ।

ହବିଷ୍ୟାଳୀ ମା ମାନଙ୍କର ସେବା କୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ମା ମାନଙ୍କର ସୁରକ୍ଷିତ ରହଣି, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ,ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇ ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ସୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ ।

ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବା ର ଆବଶ୍ୟକତା ଥିବାରୁ ବିଭିନ୍ନ ବିଭାଗର କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ଏକ ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନ ଙ୍କୁ ନେଇ ୨୩ ତାରିଖ ପୌର ସଦନ ବା ଟାଉନ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି କ୍ଷେତ୍ର ପରିଦର୍ଶନ ସମୟରେ ପିଏମସି କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପିଏମସି ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,

ଉପ ଜିଲ୍ଲାପାଳ ରାଜ କିଶୋର ଜେନା , ଏଡିଏମଓ ଡା ବିନୋଦ ରଥ, ଡିପିଏଚସିଓ ଡା ସଞ୍ଜୁ ଦାସ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version