ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

ଫ୍ୟୁଚର ରେଡି ଓମେନ୍‌ ପ୍ରୋଗ୍ରାମ ଅଧୀନରେ ଏହି ସର୍ବପ୍ରଥମ ପ୍ରୟାସ ରଜୋନିବୃତ୍ତି ସଚେତନତାକୁ ଓଡ଼ିଶାର ଚାରିଟି ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହରାଞ୍ଚଳ ସମୁଦାୟଙ୍କ ନିକଟକୁ ଆଣିଛି l

ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପ୍ରଥମ ଥର ପାଇଁ ଭୁବନେଶ୍ୱରସ୍ଥିତ ସର୍ବଭାରତୀୟ ଏନ୍‌ଜିଓ ହମାରା ବଚ୍‌ପନ ଟ୍ରଷ୍ଟ (ଏଚ୍‌ବିଟି) ଏହାର ଫ୍ୟୁଚର ରେଡି ଓମେନ୍‌ ପ୍ରୋଗ୍ରାମ (ଭବିଷ୍ୟତ ପାଇଁ ପ୍ରସ୍ତୁତ ମହିଳା କାର୍ଯ୍ୟକ୍ରମ) ଅଧୀନରେ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ବିଶ୍ୱ ରଜୋନିବୃତ୍ତି ଦିବସ ( ୱାର୍ଲ୍ଡ ମେନୋପଜ୍ ଡେ )ପାଳନ କରିବାକୁ ପଦକ୍ଷେପ ଗ୍ରହଣ କରିବା ସହିତ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ କନ୍ଧମାଳ ଆଦି ଚାରିଟି ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାରେ ୨୫ଟି ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହରାଞ୍ଚଳ ସମୁଦାୟ, ସାତଟି ଗ୍ରାମପଞ୍ଚାୟତ ଓ ୫ଟି ବ୍ଲକ୍‌ରେ ୧୦୦୦ରୁ ଅଧିକ ମଧ୍ୟ ବୟସ୍କା ମହିଳାଙ୍କ ନିକଟରେ ପହଞ୍ଚିଛି ।

ରଜୋନିବୃତ୍ତିକୁ ନେଇ ରହିଥିବା ନୀରବତାକୁ ଭଙ୍ଗ କରିବା, ମଧ୍ୟ ବୟସ୍କା ମହିଳାଙ୍କର ସଚେତନତା ସ୍ତର ବୃଦ୍ଧିକରିବା ଏବଂ ମହିଳାମାନଙ୍କୁ ଲକ୍ଷଣଗୁଡିକ ଜାଣିବା ନିମନ୍ତେ ଉତ୍ସାହିତ କରିବା, ଉପଯୁକ୍ତ ସ୍ୱାସ୍ଥ୍ୟସେବାର ସୁଯୋଗ ନେବା ଏବଂ ସେମାନଙ୍କର ଶାରୀରିକ ଓ ଭାବନାତ୍ମକ କଲ୍ୟାଣକୁ ଅଗ୍ରାଧିକାର ଦେବା ନିମନ୍ତେ ଲକ୍ଷ୍ୟ ରଖିଛି । ୨୦୨୬ ବିଶ୍ୱ ରଜୋନିବୃତ୍ତି ଦିବସର ବିଷୟବସ୍ତୁ ହେଉଛି, “କ୍ରନିକ୍‌ ପେନ୍‌ ଆଟ ମିଡ୍‌ଲାଇଫ” (ମଧ୍ୟବୟସରେ ଦୀର୍ଘସ୍ଥାୟୀ ଯନ୍ତ୍ରଣା), ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହିଳାଙ୍କ ସ୍ୱାସ୍ଥ୍ୟଗତ ପ୍ରସଙ୍ଗକୁ ନେଇ ବାରମ୍ବାର ଅଣଦେଖା କରାଯାଉଥିବା ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି । ରଜୋନିବୃତ୍ତି ଜୀବନର ଏକ ସ୍ୱାଭାବିକ ପର୍ଯ୍ୟାୟ, କିନ୍ତୁ ଏହା ସହିତ ସଂପୃକ୍ତ ଶାରୀରିକ ଏବଂ ଭାବନାତ୍ମକ ପରିବର୍ତ୍ତନ ଅନେକ ସମୟରେ ଉପଯୁକ୍ତ ଭାବରେ ବୁଝାଯାଏ ନାହିଁ ।

ହଠାତ୍‌ ଶରୀର ଗରମ ହୋଇଯିବା, ନିଦ୍ରାରେ ବ୍ୟାଘାତ, ଚିନ୍ତା, ମାନସିକ ଦ୍ୱନ୍ଦ୍ୱ ତଥା ଅସ୍ଥି ଓ ଗଣ୍ଠି ଯନ୍ତ୍ରଣା ଭଳି ଲକ୍ଷଣଗୁଡିକ ମହିଳାମାନଙ୍କର ସ୍ୱାସ୍ଥ୍ୟ, ସମ୍ପର୍କ, ଜୀବିକା ଓ ଜୀବନର ମାନ ଉପରେ ପ୍ରଭାବ ପକାଇପାରେ । ଅନେକ ସମ୍ପ୍ରଦାୟରେ ସୀମିତ ସଚେତନତା, ଲାଗିରହୁଥିବା ଭ୍ରାନ୍ତଧାରଣା, ସାମାଜିକ ଲାଂଛନା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପର୍ଯ୍ୟାପ୍ତ ଭାବରେ ଉପଲବ୍ଧ ନହେବା ଦ୍ୱାରା ତାହା ମହିଳାମାନଙ୍କୁ ସେମାନଙ୍କର ଅନୁଭୂତି ସମ୍ପର୍କରେ ଆଲୋଚନା କରିବା ଅଥବା ସମୟୋଚିତ ଭାବରେ ଡାକ୍ତରୀ ପରାମର୍ଶ ଲୋଡିବାରୁ ରୋକିଥାଏ । ଏହାର ପ୍ରଭାବ ବ୍ୟକ୍ତିଗତ ମହିଳାଙ୍କ ଊଦ୍ଧ୍ୱର୍କୁ ଯାଇ ତାହା ପରିବାର, କାର୍ଯ୍ୟସ୍ଥଳ ଏବଂ ଗୋଷ୍ଠୀଗୁଡିକ ଉପରେ ପଡିଥାଏ ।

ଏହି ପ୍ରୟାସ ଜରିଆରେ ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ସମ୍ପର୍କିତ ସଚେତନତାକୁ ମହିଳାଙ୍କ ସ୍ୱାସ୍ଥ୍ୟ, ଇଜ୍ଜତ ଏବଂ ସଶକ୍ତିକରଣର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ଉପସ୍ଥାପନ କରୁଛି । ଏହି କାର୍ଯ୍ୟକ୍ରମ ୪୦ରୁ ୫୫ ବର୍ଷ ବୟସ୍କା ମହିଳାମାନଙ୍କ ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ରଜୋନିବୃତ୍ତି, ତାହାର ଲକ୍ଷଣଗୁଡିକ, ପୁଷ୍ଟିସାଧନ, ନିଦ୍ରା, ମାନସିକ ସୁସ୍ଥତା ତଥା ଆବଶ୍ୟକ ସମୟରେ ଡାକ୍ତରୀ ଯତ୍ନ ଲୋଡିକାର ଗୁରୁତ୍ୱକୁ ନେଇ ଆଲୋଚନା କରିବା ସକାଶେ ନିରାପଦ ଓ ସମର୍ଥନମୂଳକ ସ୍ଥାନ ଯୋଗାଇଦେଉଛି । ଏକମାସ ବ୍ୟାପୀ ସଚେତନତା ଅଭିଯାନର ଅଂଶ ଭାବରେ ଏଚ୍‌ବିଟି ସଚେତନତା ବୈଠକ ଓ ଗୋଷ୍ଠୀ-ସ୍ତରୀୟ ନିୟୋଜନତା କାର୍ଯ୍ୟକ୍ରମ ହାତକୁ ନେଉଛି ।

ଭୁବନେଶ୍ୱରେ ଏହି କାର୍ଯ୍ୟକଳାପ ମଧ୍ୟରେ ମହିଳାମାନଙ୍କୁ ସେମାନଙ୍କର ଅନୁଭୂତି ପ୍ରକାଶ କରିବା, ଭ୍ରାନ୍ତଧାରଣା ସମ୍ପର୍କରେ ପ୍ରଶ୍ନ ପଚାରିବା ଏବଂ ପରସ୍ପର ନିକଟରୁ ଶିକ୍ଷାଲାଭ କରିବା ସକାଶେ ଦଳଗତ ଆଲୋଚନା, ସୃଜନଶୀଳ ଚିତ୍ରାଙ୍କନ ଅଧିବେଶନ ଓ ମୁକ୍ତଗୃହ ଆଲୋଚନା ଆଦି ଅନ୍ତର୍ଭୁକ୍ତ । ଯୋଜନାବଦ୍ଧ କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ୟୁପିଏଚ୍‌ସି) ଗୁଡିକ ସହିତ ସମନ୍ୱୟ ରକ୍ଷାକରି ସ୍ୱାସ୍ଥ୍ୟ ଯାଞ୍ଚ, ଯୋଗ ଓ ପ୍ରାଣାୟାମ ଅଧିବେଶନ, ସେମାନଙ୍କ ଗୋଷ୍ଠୀଗୁଡିକରେ ରଜୋନିବୃତ୍ତି ଚମ୍ପିଆନ୍‌ ଭାବରେ ସେବା ଯୋଗାଇବାକୁ ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ଏବଂ ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ)ମାନଙ୍କର ସାମର୍ଥ୍ୟ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ରହିଛି । କନ୍ଧମାଳ, କେନ୍ଦୁଝର, ଭୁବନେଶ୍ୱର ଓ ପୁରୀ ତଥା ସମାନ ସମୟରେ ମଧ୍ୟ ପ୍ରଦେଶରେ ସଂପୃକ୍ତ ଅଂଶୀଦାରମାନଙ୍କୁ ସାମିଲ କରି ବ୍ଲକ-ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ମଧ୍ୟ ଯୋଜନା କରାଯାଉଛି ।

ଗୋଷ୍ଠୀସ୍ତରୀୟ ସଚେତନତା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ନିୟୋଜନତା ଏବଂ ସମ୍ମୁଖଭାଗ କର୍ମୀଙ୍କ ସାମର୍ଥ୍ୟ ନିର୍ମାଣକୁ ସମ୍ମିଶ୍ରିତ କରି ଏଚ୍‌ବିଟି ମଧ୍ୟ ବୟସର ଜୀବନ ଓ ରଜୋନିବୃତ୍ତି ସମୟ ଦେଇ ଗତି କରୁଥିବା ମହିଳାମାନଙ୍କ ପାଇଁ ଉପଲବ୍ଧ ସ୍ଥାନୀୟ ସମର୍ଥନକାରୀ ବ୍ୟବସ୍ଥା ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରୟାସ ସଚେତନ, ସୁସ୍ଥ, ଆତ୍ମବିଶ୍ୱାସୀ ଏବଂ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇଥିବା ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ମହିଳା ଗଢିତୋଳିବାକୁ ଟ୍ରଷ୍ଟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ମଧ୍ୟ ବୟସର ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ମୁଖ୍ୟସ୍ରୋତ ଜନସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ପରିସରକୁ ଆଣିବା ଏବଂ ଭରସାଯୋଗ୍ୟ ସୂଚନା ତଥା ଉପଯୁକ୍ତ ସ୍ୱାସ୍ଥ୍ୟସେବାର ସୁଯୋଗ ସୁଦୃଢ କରିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଉଛି ।

Exit mobile version