ମାନସ ଭବନରେ ଗରବା-ଡାଣ୍ଡିଆର ସମାପନି ସନ୍ଧ୍ୟା, ପାରମ୍ପରିକ ରଙ୍ଗରେ ରଙ୍ଗୀନ ହେଲା କଣ୍ଟାବାଞ୍ଜି

ବଲାଙ୍ଗୀର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଭକ୍ତି, ସଂସ୍କୃତି ଓ ଉତ୍ସାହର ରଙ୍ଗରେ ରଙ୍ଗୀନ ହେଲା କଣ୍ଟାବାଞ୍ଜି ସହର । ଶ୍ରୀରାମ ମନ୍ଦିରସ୍ଥିତ ମାନସ ଭବନରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତିର ସୃଜନ ଶାଖା ପକ୍ଷରୁ ଭବ୍ୟ ଗରବା ଓ ଡାଣ୍ଡିଆ ନାଇଟ୍‌ ଆୟୋଜିତ ହୋଇଥିଲା । ରଙ୍ଗବେରଙ୍ଗର ପାରମ୍ପରିକ ପୋଷାକରେ ସଜ୍ଜିତ ମହିଳା ଓ ଯୁବତୀମାନେ ସଙ୍ଗୀତର ତାଳେ ତାଳେ ଗରବା ଓ ଡାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ ।  ବିଭିନ୍ନ ପ୍ରତିଯୋଗିତା, ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ଓ ଆକର୍ଷଣୀୟ ଉପହାର ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇଥିଲା । ଏହି ଆୟୋଜନକୁ ସଫଳ କରିବାରେ ରାମ ମନ୍ଦିର ସେବା ସମିତିର ବିଶେଷ ସହଯୋଗ ରହିଥିଲା ।

ସମିତିର ସଭାପତି ପ୍ରଦୀପ ଖଣ୍ଡେଲୱାଲ ଓ ସମ୍ପାଦକ ରାଜୁ ଶର୍ମାଙ୍କ ସହଯୋଗ ସହିତ ସନ୍ତୋଷ ଲାଠୋରିଆ ଓ ଅନ୍ୟ ସଦସ୍ୟମାନଙ୍କ ଅବଦାନ ପ୍ରଶଂସନୀୟ ଥିଲା । ସୃଜନ ଶାଖାର ସଭାପତି ନେହା ଅଗ୍ରୱାଲ, ସମ୍ପାଦିକା ଖୁସବୁ ଡାଲମିଆ, କୋଷାଧ୍ୟକ୍ଷା ଦୁର୍ଗା ଶର୍ମାଙ୍କ ସହ ନୈନା ଶର୍ମା ଓ ନିଶା ଖେମକା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଇଥିଲେ । ସେହିପରି ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତିର ସଭାପତି ପୁନମ ଖଣ୍ଡେଲୱାଲ, ସମ୍ପାଦିକା ଅନିତା ଡାଲମିଆ, କୋଷାଧ୍ୟକ୍ଷା ସଙ୍ଗୀତା ଝରୱାଲିଆ, ମମତା ଡାଲମିଆ ଓ ସନ୍ତୋଷୀ ଜୈନଙ୍କ ସମେତ ଅନ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ ।

ଉଦଯାପନୀ ସମାରୋହରେ ଅତିଥିଙ୍କ ଯୋଗଦାନ ଗରବା ନାଇଟ୍‌ର ଭବ୍ୟ ସମାପନୀ ସମାରୋହରେ କଣ୍ଟାବାଞ୍ଜି ଉପକାରାଗାରର ଜେଲର ଜସକେତନ ପ୍ରଧାନ, ସାମ୍ବାଦିକ ସଂଘର ସଭାପତି ମୋହନ ସୋନି ଏବଂ ରାମ ମନ୍ଦିର କମିଟିର ସମ୍ପାଦକ ରାଜୁ ଭାଇ ଶର୍ମା ଏବଂ ବ୍ରାହ୍ମଣ ସମାଜ ମହିଳା ଅଧ୍ୟକ୍ଷତା ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଗରବା ଓ ଡାଣ୍ଡିଆ ନାଇଟ୍‌ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଭାରତୀୟ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ଏକ ସୁନ୍ଦର ପ୍ରତୀକ ପାଲଟିଥିଲା ।

Exit mobile version