ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ

ବାଲିଗୁଡା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍‌ରେ ବୋଝେଇ ହୋଇଥିବା ବହୁ ପରିମାଣର ମୂଲ୍ୟବାନ ଶାଳ କାଠକୁ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଏହାକୁ ଧରିବାରେ ସଫଳ ହୋଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିମନବାଡ଼ି ଉପବିଭାଗ ଓ କ. ନୂଆଗାଁ ବନାଞ୍ଚଳର କର୍ମଚାରୀଙ୍କ ମିଳିତ ଚଢ଼ାଉରେ ଟ୍ରକ୍‌ ସହ ବିପୁଳ ପରିମାଣ ର ଶାଳ କାଠ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଜାତୀୟ ରାଜପଥ ୫୯ର ସିମନବାଡ଼ିଠାରୁ କଞ୍ଜାମେଣ୍ଡି ଛକ ମଧ୍ୟରେ ଓଡ଼ି-୦୫-ବିଜେ-୪୭୭୪ ନମ୍ବର ବିଶିଷ୍ଟ ଟ୍ରକ୍‌ଟିକୁ ବନ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ ।

ଟ୍ରକ୍‌ରେ ବହୁ ପରିମାଣର ଶାଳ ଗଣ୍ଡି ବୋଝେଇ ହୋଇଥିବା ବେଳେ ତାହାକୁ ପାଲ ଘୋଡ଼ାଇ ରଖାଯାଇଥିଲା । ଯାହା ଫଳରେ ସହଜରେ କାହାର ନଜରକୁ ଆସିବ ନାହିଁ ବୋଲି ଏଭଳି ଉପାୟ ଅବଲମ୍ବନ କରାଯାଇଥିବା ସନ୍ଦେହ କରାଯାଉଛି । କୌଣସି ସୂତ୍ରରୁ ଚୋରା କାଠ ଚାଲାଣ ସମ୍ପର୍କରେ ଖବର ପାଇବା ପରେ ଉଭୟ ବନାଞ୍ଚଳର କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ଟ୍ରକ୍‌ରୁ କାଠ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସୂଚନା ଅନୁସାରେ, ଟ୍ରକ୍‌ରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ରହିଥିବା ଆକଳନ କରାଯାଉଛି ।

ତେବେ ଜବତ କାଠର ପ୍ରକୃତ ମୂଲ୍ୟ ଏଯାବତ୍‌ ନିର୍ଦ୍ଧାରଣ କରାଯାଇନାହିଁ । ସିମନବାଡ଼ି ଉପବିଭାଗର ବନପାଳ ବନିତା ପ୍ରଧାନ କାଠର ପରିମାଣ ଓ ମୂଲ୍ୟ ଆକଳନ କରୁଛନ୍ତି । କେଉଁ ଜଙ୍ଗଲରୁ କଟାଯାଇଥିଲା କାଠ, କେଉଁଠାକୁ ହେଉଥିଲା ଚାଲାଣ? ଏବେ ତାହାକୁ ନେଇ ତଦନ୍ତ ଜୋରଦାର ହୋଇଛି । ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ କାଠ ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଓ ଚୋରା କାଠର ଉତ୍ସ ସମ୍ପର୍କରେ ତଥ୍ୟ ମିଳିବା ଆଶା କରାଯାଉଛି ।

ଅନ୍ୟପକ୍ଷରେ, ନବରାତ୍ରି ପୂଜା ସମୟରେ ବନ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାର ସୁଯୋଗ ନେଇ କାଠ ମାଫିଆ ମାନେ ସକ୍ରିୟ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାରେ ତଦନ୍ତ ଶେଷ ହେବା ପରେ ଚୋରା କାଠ କାରବାର ସମ୍ପର୍କରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି । ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଥିବା ବେଳେ, ଚୋରା କାଠ ଚାଲାଣ ପଛରେ ଥିବା ପୂରା ନେଟ୍‌ୱର୍କର ପର୍ଦ୍ଦାଫାସ କେବେ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Exit mobile version