ଭାଲୁ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା ରେଡକ୍ରସ ପକ୍ଷରୁ ପରିବାରକୁ ୨୦ ହଜାର ଟଙ୍କା ସହାୟତା

ବଲାଙ୍ଗୀର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ ମଧ୍ୟରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ୱାର୍ଡ ନମ୍ବର ୧୪ର ବିବେକାନନ୍ଦ ନଗରରୁ ବିର୍ଣ୍ଣା ଗାଁକୁ ଯାଇଥିବା ରାସ୍ତା ନିକଟରୁ ୩୫ ବର୍ଷୀୟ ସୁରେନ୍ଦ୍ର ମାଝୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକଙ୍କ ଘର ଡୁମେରଚୁଆ ଗାଁରେ ହୋଇଥିବା ବେଳେ ସେ ଜଣେ ଦିନ ମଜୁରିଆ ଥିଲେ । ଜଙ୍ଗଲୀ ଭାଲୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛେ ।

ସୁରେନ୍ଦ୍ରଙ୍କ ମୃତ୍ୟୁରେ ପତ୍ନୀ, ଦୁଇ ଛୋଟ ପିଲା ଏବଂ ବୃଦ୍ଧ ପିତା ଅସହାୟ ହୋଇପଡ଼ିଛନ୍ତି। ଭାଇ ଜିଉଁତିଆ ପର୍ବ ଦିନ ଏଭଳି ଦୁଃଖଦ ଘଟଣା ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ପରେ ରେଡକ୍ରସ ପକ୍ଷରୁ ପୀଡ଼ିତ ପରିବାରକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ଏହି ସମୟରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ସୋମିୟ ରଞ୍ଜନ ରାଉତ , ବିଧାୟକଙ୍କ ପ୍ରତିନିଧି ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପୁରନ୍ଦର ବାସ ଏବଂ ସରପଞ୍ଚ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

ଅନ୍ୟପଟେ, ବିଧାୟକଙ୍କ ପ୍ରତିନିଧି ପୁରନ୍ଦର ବାଗ ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହେଲେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇଦେବା ପାଇଁ ଉଦ୍ୟମ କରାଯିବ ବୋଲି ସେ ପରିବାରକୁ ଆଶ୍ୱାସନା ଦେଇଛନ୍ତି । ପରିବାରକୁ ଅଧିକ ଆର୍ଥିକ ସହାୟତା ସହ ପିଲାମାନଙ୍କ ପାଠପଢ଼ା ଓ ଭରଣପୋଷଣ ବ୍ୟବସ୍ଥା କରିବାକୁ ପରିଜନଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇଛି । ଏବେ ପୋଷ୍ଟମର୍ଟମ ରିପୋର୍ଟ ଓ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

Exit mobile version