କୁର୍ଲି ରାସ୍ତା ନିର୍ମାଣ ପାଇଁ ଅରୁଣ ତାଣ୍ଡିଙ୍କ ଲଢ଼େଇକୁ ସଫଳତା, ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମର ଦୀର୍ଘ ଦିନର ରାସ୍ତା ସମସ୍ୟା ଏବେ ସମାଧାନ ଆଡକୁ ଗତି କରୁଛି। ଗ୍ରାମର ଧୋବାଘାଟ ମନ୍ଦିରଠାରୁ ବେହେରେନସିଲେଟ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ପାଇଁ ସମାଜସେବୀ ଅରୁଣ କୁମାର ତାଣ୍ଡିଙ୍କ ନିରନ୍ତର ଉଦ୍ୟମ ସଫଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅରୁଣ କୁମାର ତାଣ୍ଡି ଗତ ଜୁନ୍ ୧୮ ତାରିଖରେ ଏହି ସମସ୍ୟାକୁ ନେଇ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଅଗଷ୍ଟ ୨୦ ତାରିଖରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାପରେ ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ (RWD), ବଲାଙ୍ଗୀରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପତ୍ର ଜାରି କରାଯାଇଛି । ଏଥିରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ସହ ରାସ୍ତା ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରଶାସନିକ ତଦନ୍ତ ପରେ ଖୁବଶୀଘ୍ର ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଆଶା କରାଯାଉଛି । ନିଜ ଗ୍ରାମର ସମସ୍ୟାକୁ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବାରେ ଅରୁଣ କୁମାର ତାଣ୍ଡିଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି ।

  

Exit mobile version