ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା, ବ୍ଲକସ୍ତରୀୟ ସୁରଭି ପାଇଁ ଚୟନ ହେଲେ ପ୍ରଥମ ସ୍ଥାନ ଅଧିକାରୀ

ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଲୁକ୍କାୟିତ ଦକ୍ଷତାକୁ ଲୋକଲୋଚନକୁ ଆଣିବାର ଲକ୍ଷ୍ୟ ନେଇ ଆୟୋଜିତ ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଉଦ୍‌ଯାପନୀ ସଭାରେ ଗୋପାଳପୁର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ମୁଖ୍ୟ ଅତିଥି ଏବଂ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ମଝିଆଖଣ୍ଡର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ, ଶିକ୍ଷାବିତ କିଶୋର ଚନ୍ଦ୍ର ଭଞ୍ଜ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅଶୋକ କୁମାର ବେହେରା, ବାଉରୀବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ପ୍ରଧାନ,

ନରସିଂହପୁର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, କାଣ୍ଡପଡ଼ା ସାଧନ କେନ୍ଦ୍ର ସଂଯୋଜକ ରାଜୀବ କୁମାର ବେହେରା, ଝାଡ଼ପଡ଼ା ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ଜେନା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ନାୟକ ଯୋଗଦେଇଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ପାଠପଢ଼ା ସହିତ ସହପାଠ୍ୟକ୍ରମ ଓ ସୃଜନଶୀଳ କାର୍ଯ୍ୟକଳାପ ପିଲାମାନଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ‘ସୁରଭି’ ଭଳି ମଞ୍ଚ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ପ୍ରତିଯୋଗିତା ମନୋଭାବ ଓ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିଥାଏ ।

ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ବ୍ଲକସ୍ତରୀୟ ସୁରଭି ଉତ୍ସବରେ ଅଂଶଗ୍ରହଣ କରି ନିଜ କ୍ଲଷ୍ଟରର ଗୌରବ ବୃଦ୍ଧି କରିବେ । କୃତୀ ପ୍ରତିଯୋଗୀଙ୍କ ସଫଳତାକୁ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ପ୍ରଶଂସା କରିଥିଲେ । ମଝିଆଖଣ୍ଡ କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଭୂଷଣ ବେହେରାଙ୍କ ନେତୃତ୍ୱରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା । ଶିକ୍ଷକ ଧୀରେନ୍ଦ୍ର କୁମାର କଳସ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଓ ଶିକ୍ଷକମାନଙ୍କ ସହଯୋଗରେ ଉତ୍ସବଟି ସଫଳତାର ସହ ଉଦ୍‌ଯାପିତ ହୋଇଥିଲା ।

Exit mobile version