ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ


ନୟାଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଅର୍ଥନୀତିଜ୍ଞ, ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟାପିକା ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ପୁସ୍ତକ ‘ଥମିନି ଜୀବନ ସ୍ରୋତ’ ସ୍ଥାନୀୟ ତାଜ ହବ ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇଯାଇଛି । କବୀ ଓ ଅନୁବାଦିକା ତନ୍ଦ୍ରାଳସା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ବିଶ୍ୱରଞ୍ଜନ ମୁଖ୍ୟ ଅତିଥି ଏବଂ ସଂସ୍କୃତିପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ‘ଥମିନି ଜୀବନ ସ୍ରୋତ’ ଶୀର୍ଷକରୁ ହିଁ ଜୀବନର ଅବିରତ ଗତି, ସଂଘର୍ଷ ଓ ଆଗକୁ ବଢ଼ିବାର ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ ମିଳେ ।

ଜଣେ ଅର୍ଥନୀତିଜ୍ଞ, ଅଧ୍ୟାପିକା ଓ ସାହିତ୍ୟିକ ଭାବେ ଲେଖିକା ଜ୍ୟୋତିର୍ମୟୀ ନିଜ ଜୀବନର ଅନୁଭୂତି, ଅନୁଭବ ଓ ସ୍ମୃତିକୁ ଆତ୍ମଜୀବନୀ ମାଧ୍ୟମରେ ଲିପିବଦ୍ଧ କରିଛନ୍ତି । ଏହି ପୁସ୍ତକ ପାଠକମାନଙ୍କୁ ଜୀବନକୁ ନିକଟରୁ ଦେଖିବା ସହ ଏହାର ବିଭିନ୍ନ ଦିଗକୁ ବୁଝିବାର ସୁଯୋଗ ଦେବ ବୋଲି ଆଶା କରାଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଲୋକାର୍ପଣ ଉତ୍ସବରେ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀମାନଙ୍କ ସହ ପରିବାରର ସଦସ୍ୟ ତଥା ଜ୍ୟୋତିର୍ମୟୀ ଙ୍କ ସହକର୍ମୀ ଛାତ୍ର ଛାତ୍ରୀ ଯୋଗଦେଇ ତାଙ୍କ ଜୀବନର କିଛି ସ୍ମୃତି ଆଲୋଚନା କରିଥିଲେ ଯାହା ପୁସ୍ତକରେ ସ୍ଥାନିତ ହୋଇଛି । ଏହି ଆତ୍ମଜୀବନୀ ଓଡ଼ିଆ ସାହିତ୍ୟର ଆତ୍ମକଥାମୂଳକ ରଚନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଯୋଗଦାନ ହେବ ବୋଲି ଆଲୋଚନାରେ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ । ଅତିଥି ଓ ବିଶେଷ ବ୍ୟକ୍ତି ବିଶେଷଙ୍କୁ ଶିକ୍ଷାବିତ୍ ଦିପ୍ତିମୟୀ ଦାଶ ସ୍ୱାଗତ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଚନ୍ଦ୍ରଶେଖର ଦାସ ।

Exit mobile version