ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ବାଲିଗୁଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ପ୍ରଧାନ ଶିକ୍ଷକ ସନାତନ ଅମାୟତଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ ମଳିକ ଅଧ୍ୟକ୍ଷତା କରିଥିଲେ।

ପ୍ରାରମ୍ଭରେ ଶିକ୍ଷକ ଅଲେଖ ରଣା ଉପସ୍ଥିତ ଅଭିଭାବକ ଓ ଅନ୍ୟ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ମୂଲ୍ୟାୟନ ନିମନ୍ତେ ସମାପ୍ତି ସୂଚକ ଆକଳନ-୧ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ନିଶାମୁକ୍ତ ଭାରତ ଅଭିଯାନକୁ ତୃଣମୂଳ ସ୍ତରରେ ସଫଳ କରିବା ଏବଂ ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମତ ବିନିମୟ କରାଯାଇଥିଲା।

ସେହିପରି ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗର ସଠିକ୍ ଉପଯୋଗ, ଶିକ୍ଷାଦାନର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ବିକାଶରେ ଅଭିଭାବକଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟର ଉନ୍ନତି ଓ ପିଲାମାନଙ୍କ ଶିକ୍ଷାଗତ ପ୍ରଗତି ଦିଗରେ ଅଭିଭାବକ ମାନେ ନିଜ ନିଜର ଗଠନମୂଳକ ମତାମତ ରଖିଥିଲେ। ବିଦ୍ୟାଳୟର ସାମଗ୍ରିକ ବିକାଶରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ଓ ଶିକ୍ଷୟିତ୍ରୀ ଅଞ୍ଜଳୀ ମଳିକଙ୍କ ସମେତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷକ ଅଲେଖ ରଣା ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା।

Exit mobile version