ବାଲିଗୁଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ। ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ଏହି ନିର୍ବାଚନରେ ମୋଟ ୭୨.୮୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହା ସହ ମହାବିଦ୍ୟାଳୟରେ ଛାତ୍ର ନେତୃତ୍ୱ ଓ ପ୍ରତିନିଧିତ୍ୱର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୁରୁବାର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ମତଦାନ ହୋଇଥିଲା ।
