ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ୟୁନାଇଟେଡ୍ ହ୍ୟୁମାନ ରାଇଟ୍ସ ଆଣ୍ଡ ଆଣ୍ଟି କରପ୍ସନ କାଉନ୍ସିଲ୍ (UHRAC), ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ମାନବାଧିକାର ସୁରକ୍ଷା, ଦୁର୍ନୀତି ବିରୋଧୀ ପଦକ୍ଷେପ ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ପୂର୍ବାହ୍ନ ୧୧ ଟାରେ (୧୫/୧୦/୨୬ )ପାରଳାଖେମୁଣ୍ଡିସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା।ଗଜପତି ଜିଲ୍ଲା ସଭାପତି ରାହୁଲ ହରଙ୍କ ନେତୃତ୍ୱରେ ଏବଂ UHRACର ମହିଳା ସଭାନେତ୍ରୀ ତନୁଜା ଶତପଥୀଙ୍କ ନେତୃତ୍ୱରେ ଏହି ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା ।
ଏଥିରେ ମହିଳା ଉପସଭାନେତ୍ରୀ ଜସ୍ମିନ୍ ଶେଖ ଓ ରାୟଗଡ଼ା ବ୍ଲକ ସଭାପତିଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ UHRACର ଷ୍ଟେଟ୍ ପ୍ରେସିଡେଣ୍ଟ ଆନନ୍ଦ ଶତପଥୀ ମହୋଦୟ ଜୁମ୍ ମିଟିଂ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ସଦସ୍ୟମାନଙ୍କୁ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଦିଗ୍ଦର୍ଶନ ଦେଇଥିଲେ । ସଂଗଠନକୁ ଆଗକୁ ନେବା, ସଦସ୍ୟତା ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏଥିସହ ମାନବାଧିକାର ସୁରକ୍ଷା ଓ ଜନସଚେତନତା କ୍ଷେତ୍ରରେ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ମାନବାଧିକାର ସୁରକ୍ଷା, ଦୁର୍ନୀତି ବିରୋଧୀ ପଦକ୍ଷେପ, ନାଗରିକ ସଶକ୍ତୀକରଣ, ଆଇନଗତ ସଚେତନତା ଓ ସାମାଜିକ ବିକାଶ ଭଳି ପାଞ୍ଚଟି ପ୍ରମୁଖ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଗଜପତି ଜିଲ୍ଲାର ସାଧାରଣ ଜନତାଙ୍କ ଅଧିକାରର ସୁରକ୍ଷା, ନ୍ୟାୟ ପ୍ରଦାନ ଦିଗରେ ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ଆଇନ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉପରେ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ ।
ଆଗାମୀ ଦିନରେ UHRAC ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଂଗଠନର କାର୍ଯ୍ୟକଳାପକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ସମାଜର ଅବହେଳିତ ଓ ଅସହାୟ ବର୍ଗର ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବା ସହ ସେମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଏକମତ ହୋଇଥିଲେ ଜନସାଧାରଣଙ୍କ ହିତକୁ ପ୍ରାଥମିକତା ଦେଇ ମାନବାଧିକାର ସୁରକ୍ଷା, ଦୁର୍ନୀତି ବିରୋଧୀ ସଚେତନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ UHRACର କାର୍ଯ୍ୟକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।