ବିଫଳତା ହିଁ ସଫଳତାର ପ୍ରଥମ ପାହାଚ : ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀ

‘ଶିଶୁ ସମାଚାର’ ପକ୍ଷରୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳିତ 
‎
‎ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର  :- ସ୍ୱପ୍ନ ଦେଖିବାକୁ ଶିଖାଇଥିବା, ବିଫଳତାରୁ ଶିକ୍ଷା ନେଇ ସଫଳତାର ଶିଖରରେ ପହଞ୍ଚିବାର ମନ୍ତ୍ର ଦେଇଥିବା ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ ଡ. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ଅବସରରେ ଓଡ଼ିଶାର ପ୍ରଥମ ଶିଶୁ ଖବରକାଗଜ ‘ଶିଶୁ ସମାଚାର’ ପକ୍ଷରୁ ଏକ ପ୍ରେରଣାଦାୟୀ ସମାରୋହ ଆୟୋଜିତ ହୋଇଯାଇଛି । ପୁରୀର ଗୌଡ଼ବାଡ଼ ସାହିସ୍ଥିତ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମାରୋହରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ଏବଂ ଡ. କଲାମଙ୍କ ଜୀବନାଦର୍ଶ ଉପରେ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ସ୍ୱପ୍ନ, ସାହସ ଓ ସଂକଳ୍ପର ନୂଆ ଆଲୋକ ଜାଳିବାକୁ ପ୍ରୟାସ କରାଯାଇଥିଲା ।


‎‎‎ସମାରୋହରେ ସମାଜସେବୀ ଚକ୍ରଧର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷାବିତ୍ ସୌଭାଗ୍ୟ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଦୈନିକ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ପ୍ରତିହାରୀ ଓ ଶିକ୍ଷାବିତ୍ ଅବନୀଶ ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଶ୍ରୀ ବସ୍ତିଆ ନିଜ ବକ୍ତବ୍ୟରେ ଡ. କଲାମଙ୍କ ସଂଘର୍ଷମୟ ଜୀବନ, ବୈଜ୍ଞାନିକ ଚିନ୍ତାଧାରା, ଦେଶପ୍ରେମ ଓ ଶିକ୍ଷା ପ୍ରତି ତାଙ୍କର ଅଗାଢ଼ ନିଷ୍ଠା ଉପରେ ଆଲୋକପାତ କରିଥିଲେ। ଏକ ସାଧାରଣ ପରିବାରରୁ ଆସି ଅସାଧାରଣ ସ୍ୱପ୍ନ ଦେଖିବା ଏବଂ ଅଧ୍ୟବସାୟ, ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପରିଶ୍ରମ ବଳରେ ଜୀବନର ଶୀର୍ଷସ୍ଥାନରେ ପହଞ୍ଚିବାରେ ଡ. କଲାମଙ୍କ ଯାତ୍ରା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅମୂଲ୍ୟ ପ୍ରେରଣା ବୋଲି ସେ କହିଥିଲେ।

‎ଜୀବନରେ ବିଫଳତା ଆସିଲେ ଭାଙ୍ଗି ନପଡ଼ି ସେଥିରୁ ଶିକ୍ଷା ଗ୍ରହଣ କରି ନୂଆ ଉତ୍ସାହରେ ଆଗକୁ ବଢ଼ିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ମଣିଷର ପରିଚୟ ତାହାର ପରିସ୍ଥିତି ନୁହେଁ; ବରଂ ତାହାର ସ୍ୱପ୍ନ, ସାହସ ଓ କର୍ମ ହିଁ ତାକୁ ପରିଚିତ କରାଏ। ଛାତ୍ରଛାତ୍ରୀମାନେ ବଡ଼ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବା ପାଇଁ ନିଷ୍ଠାର ସହ ପରିଶ୍ରମ କରିବା ଆବଶ୍ୟକ। କେବଳ ନିଜର ଭବିଷ୍ୟତ ଗଢ଼ିବା ନୁହେଁ, ଜ୍ଞାନ, ବିଜ୍ଞାନ, ମାନବିକତା ଓ ନୈତିକ ମୂଲ୍ୟବୋଧକୁ ପାଥେୟ କରି ଦେଶ ଓ ସମାଜର ଉନ୍ନତିରେ ଅବଦାନ ରଖିବା ମଧ୍ୟ ସେମାନଙ୍କର କର୍ତ୍ତବ୍ୟ ବୋଲି ସେ କହିଥିଲେ। ଡ. କଲାମଙ୍କ ଜୀବନରୁ ପ୍ରେରଣା ନେଇ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନିବା, ତାହାର ବିକାଶ କରିବା ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜକୁ ଗଢ଼ିତୋଳିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।


‎
‎ପଣ୍ଡିତ କାହ୍ନୁଚରଣ ରଥ ଓ ହରପ୍ରିୟା ରଥଙ୍କ ସ୍ମୃତିରେ ଆୟୋଜିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପାଞ୍ଚ ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।‎ ‎ଏହି ଅବସରରେ ବିଜ୍ଞାନ ଶିକ୍ଷକ ତଥା ପାଟଳଦା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମଦେବ ପ୍ରଧାନଙ୍କୁ ‘ବିଜ୍ଞାନ ଜ୍ୟୋତି ସମ୍ମାନ’ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଲୁଖଣ୍ଡ, ପୁରୀର ଛାତ୍ରୀ ଶ୍ୱେତପଦ୍ମା ଦାଶଙ୍କୁ ‘ନବ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା ।


‎
‎ଏହାପରେ ଆଇନଜୀବୀ ଶରତ ରାୟଗୁରୁଙ୍କ ସଂଯୋଜନାରେ ଡ. ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଓ କୃତିତ୍ୱକୁ ନେଇ ଏକ ଆକର୍ଷଣୀୟ ପ୍ରଶ୍ନମଞ୍ଚ ଆୟୋଜିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ । ସଠିକ୍ ଉତ୍ତର ପ୍ରଦାନ କରିଥିବା ପ୍ରତିଯୋଗୀଙ୍କୁ ଡ. କଲାମଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ପ୍ରଦାନ କରାଯାଇଥିଲା । ‎‘ଶିଶୁ ସମାଚାର’ର ପ୍ରତିଷ୍ଠାତା ସମ୍ପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଶିବସୁନ୍ଦର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ‎କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଜୟ ପଣ୍ଡା, ରେଣୁକା ମିଶ୍ର, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ ଓ ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ. ଏପିଜେ ଅବଦୁଲ କଲାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉପସ୍ଥିତ ଅତିଥି ଓ ଆୟୋଜକମାନେ ମହାନ ବୈଜ୍ଞାନିକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କର ମହାନ ଜୀବନ, ଅସାଧାରଣ କର୍ମନିଷ୍ଠା ଓ ଦେଶ ପ୍ରତି ଅବଦାନକୁ ସ୍ମରଣ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଆଗକୁ ବଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା ।

Exit mobile version