ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୂଜ ) ନି.ପ୍ର  :- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମିଗାଁ ପଞ୍ଚାୟତର ଝାମିଗାଁ ଗ୍ରାମର ପଡ଼ାଲା ଭବାନୀ ନିଜ ଶାଶୁ-ଶ୍ୱଶୁରଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହେବା ସହ ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ପ୍ରାୟ ୧୦ ମାସ ପୂର୍ବରୁ ପଡ଼ାଲା ଭବାନୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିନଥିବାରୁ ସେ ବିଧବା ଭତ୍ତା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଶାଶୁ-ଶ୍ୱଶୁର ମୃତ୍ୟୁ ପ୍ରମାଣପତ୍ର ଦେଉନଥିବାରୁ ସେ ଅସୁବିଧାରେ ପଡ଼ିଛନ୍ତି ।

ଏହି ସମସ୍ୟାର ସମାଧାନ ଓ ନ୍ୟାୟ ପାଇବା ଆଶାରେ ପଡ଼ାଲା ଭବାନୀ ଆନ୍ତର୍ଜାତୀୟ ମାନବାଧିକାର ଓ ଦୁର୍ନୀତି ନିବାରଣ ପରିଷଦ (IHRC)ର ଗଜପତି ଜିଲ୍ଲା ମହିଳା ଉପସଭାପତି ଜସ୍ମିନ୍ ଶେଖଙ୍କ ସହ ସାକ୍ଷାତ କରି ନିଜର ଦୁଃଖ ଓ ସମସ୍ୟା ଜଣାଇବା ସହ ସହାୟତା ଲୋଡ଼ିଥିଲେ।ପଡ଼ାଲା ଭବାନୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜସ୍ମିନ୍ ଶେଖ ତାଙ୍କୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇ ଅଭିଯୋଗ ଦାଖଲ କରିବାରେ ସହଯୋଗ କରିଥିଲେ ।

ତାଙ୍କୁ ଆବଶ୍ୟକ ଆଇନଗତ ସହାୟତା ଓ ସାମାଜିକ ସହଯୋଗ ଯୋଗାଇଦେବା ସହ ବିଧବା ଭତ୍ତା ଓ ଅନ୍ୟାନ୍ୟ ଆଇନସମ୍ମତ ଅଧିକାର ପାଇବାରେ ସହାୟତା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ପୀଡ଼ିତାଙ୍କୁ ନ୍ୟାୟ ଓ ଉଚିତ ସହାୟତା ମିଳିବା ପାଇଁ ଜସ୍ମିନ୍ ଶେଖଙ୍କ ଏହି ପ୍ରୟାସକୁ ଏକ ମାନବିକ ପଦକ୍ଷେପ ଭାବେ ଦେଖାଯାଉଛି । ସମ୍ପୃକ୍ତ ପ୍ରଶାସନ ଏହି ଘଟଣାର ଆବଶ୍ୟକ ତଦନ୍ତ କରି ପଡ଼ାଲା ଭବାନୀଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

Exit mobile version