ଭିତ୍ତିଭୂମିର ବିକାଶ, ପାଠାଗାର ଉନ୍ନତି କରଣ ଓ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ; ଅକ୍ଟୋବର ୧୫ରେ ନିର୍ବାଚନ
ବୋଲଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ସଦର ମହକୁମାସ୍ଥିତ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ମହାବିଦ୍ୟାଳୟ ପରିସରରେ ପ୍ରଚାର କାର୍ଯ୍ୟକଳାପ ଜୋର ଧରିଛି । ବିଭିନ୍ନ ପ୍ରାର୍ଥୀ ନିଜ ନିଜର ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ସହପାଠୀମାନଙ୍କୁ ଅବଗତ କରାଉଥିବା ବେଳେ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି ।
ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଓ ସାମୂହିକ ନିଷ୍ପତ୍ତି ଗ୍ରହଣର ମନୋଭାବ ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀ ନିଜର ପ୍ରତିନିଧି ବାଛିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମି ଓ ଛାତ୍ରକଲ୍ୟାଣ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିଜର ମତ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି।
ଏହି ପରିପ୍ରେକ୍ଷୀରେ ସଭାପତି ପ୍ରାର୍ଥୀ ପ୍ରୀତମ ରଞ୍ଜନ ସ୍ୱାଇଁ ଛାତ୍ରଛାତ୍ରୀଙ୍କ ସମର୍ଥନ ଲୋଡ଼ିବା ସହ ମହାବିଦ୍ୟାଳୟର ସାମଗ୍ରିକ ବିକାଶକୁ ନିଜର ପ୍ରାଥମିକତା ଦେବେ ବୋଲି ଉଲ୍ଲେଖ କରିଛନ୍ତି। ସେ ନିର୍ବାଚିତ ହେଲେ ମହାବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ, ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି , ପାଠାଗାର ଉନ୍ନତି କରଣ ବ୍ୟବସ୍ଥା ଏବଂ କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକ ଖେଳ ସାମଗ୍ରୀ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
