ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ


ହିଞ୍ଜିଳିକାଟୁ  (ଓଡ଼ିଶା ତାଜା ନ୍ୟୁଜ) (ନି.ପ୍ର) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ଶନିବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଅନ୍ୟ ଦୁଇ ଜଣ ଯୁବକ ମାରଣାସ୍ତ୍ର ଓ ଶାରୀରିକ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରାଯାଇଛି।ମୃତକ ଜଣଙ୍କ ହେଲେ କଂଗ୍ରେସ ନାହାକ (୪୪)। ହତ୍ୟା ମାମଲାର ୨ ଅଭିଯୁକ୍ତ ହେଲେ ସମ୍ପୃକ୍ତ ଗ୍ରାମର ଦୀପକ ଆପଟ ଓ ମିଟୁ ଆପଟ। ମୃତ କଂଗ୍ରେସଙ୍କ ପତ୍ନୀ ରୁନୁ ନାହାକଙ୍କ ଅଭିଯୋଗ ଆଧାରରେ ହିଞ୍ଜିଳି ପୁଲିସ କେସ ନମ୍ବର ୭୪୮/୨୬ ରେ ମାମଲା ରୁଜ୍ଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଅଭିଯକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚାଲିଥିବା ନେଇ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ପୋଲିସ୍ ଅଧିକ୍ଷକ ସୌରଭ ରଞ୍ଜନ ପ୍ରଧାନ ସୁଚନା ଦେଇଛନ୍ତି ।

ପୋଲିସ୍ ସୁଚନା ଅନୂଯାୟୀ ମୃତ କଂଗ୍ରେସଙ୍କ ସାନ ପୁଅ ଶଙ୍କରଙ୍କ ସହ ଗ୍ରାମର ଦୀପକ ଓ ମିଟୁ ମିଶି ଶନିବାର ରାତିରେ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେମାନେ ଉତକ୍ଷିପ୍ତ ହୋଇ ଶଙ୍କରଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ। ସେଠାରୁ କୌଶଳ କ୍ରମେ ଶଙ୍କର ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥଲା। ଅଭିଯୁକ୍ତ ଦ୍ୱୟ ଶଙ୍କରଙ୍କ ଘର ଭିତରକୁ ଯାଇ ବାପା କଂଗ୍ରେସଙ୍କୁ ଘରୁ ବାହାରୁ ଟାଣି ଆଣିଥିଲେ। ସେଠାରେ କଂଗ୍ରେସକୁ ଦୀପକ ଓ ମିଟୁ ଖଣ୍ଡା, ଲୁହା ପାଇପ୍ ଏବଂ ଶାରୀରିକ ଆକ୍ରମଣ କରି ନିର୍ଦ୍ଦୟ ଭାଵେ ମାଡ଼ ମାରିଥିଲେ।

ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ପତ୍ନୀ ରୁନୁଙ୍କୁ ମଧ୍ଯ ଅଭିଯକ୍ତ ମାନେ ଗାଳି ଗୁଲଜ କରି ମାଡ଼ ମାରି ଅଚେଚ କରି ଦେଇଥିଲେ । ଗୁରୁତର ଅବସ୍ଥାରେ କଂଗ୍ରେସଙ୍କୁ ପରିବାର ଲୋକ ସେଠାରୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧),୩୫୧(୩),୩୩୨(ଖ),୨୯୬,୧୧୫(୨) ଏବଂ ୩(୫) ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।

Exit mobile version