ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ


ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ସ୍ଥାନୀୟ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ, ପୁରୀ ଆନୁକୂଲ୍ୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ୧୪୮ ଜଣ ପ୍ରତିଯୋଗୀ ୧୪ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ ଫୁଟବଲ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଚେସ, କ୍ୟାରମ, ଦୌଡ଼, ବକ୍ତୃତା, ଦଳଗତ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, କୁଇଜ଼ ଆଦି କନିଷ୍ଠ, ବରିଷ୍ଠ, ବାଳକ, ବାଳିକା ବର୍ଗରେ ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୬୮ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ, ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାରେ ଅନ୍ୟ ମାନଙ୍କ ଠାରୁ ପଛରେ ନାହାନ୍ତି । ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସବୁ ସ୍ତରରେ ଉଦ୍ୟମ ନିରନ୍ତର ଭାବେ ହେବା ଉଚିତ ।

ସେମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ନିଷ୍ଠା, ପରିଶ୍ରମ ଓ ସାଧନା ବଳବତ୍ତର ରଖିଲେ ରାଜ୍ୟ ଓ ଦେଶ ପାଇଁ ଜଣେ ଜଣେ ସମ୍ବଳ ହୋଇ ବାହାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଶକ୍ତିପାଦ ମିଶ୍ର ସଦସ୍ୟ, ସି ଡବ୍ଲୁ ସି, ପ୍ରୋଟେକ୍ସନ ଅଫିସର ସୁହାଗୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗକୁ ବଢ଼ିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଚାରକ ଭାବେ ଶିକ୍ଷାବିତ ଶିବ ସୁନ୍ଦର ମିଶ୍ର, କୁମାର ଭୀମସେନ, ରୋଜାଲିନ ସାମନ୍ତରାୟ, ଦୁର୍ଗା ମାଧବ କର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପ ଲାଇନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

 

Exit mobile version