କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- କଣ୍ଟାବାଞ୍ଜି ସହରରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ଓ ବାରମ୍ବାର ଚୋରି ଘଟଣାକୁ ନେଇ ଆଜି କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ଏକ ପ୍ରମୁଖ ବାଣିଜ୍ୟିକ ସହର ହୋଇଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଓ ଛୋଟ-ବଡ଼ ଯାନବାହନ ଚଳାଚଳ କରୁଛି । ବିଭିନ୍ନ ଛକ ଓ ବଜାର ଅଞ୍ଚଳରେ ବେଆଇନ ପାର୍କିଂ, ରାସ୍ତା ଉପରେ ଯାତ୍ରୀ ଓହ୍ଲାଇବା-ଉଠାଇବା ଓ ଭାରୀଯାନ ପ୍ରବେଶ ଯୋଗୁଁ ଟ୍ରାଫିକ୍ ସମସ୍ୟା ଜଟିଳ ହେଉଥିବା କମିଟି ଅଭିଯୋଗ କରିଛି। ଏଥିସହ ବଢ଼ୁଥିବା ଚୋରି ଘଟଣା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି ।

ଦାବିପତ୍ର ଗ୍ରହଣ କରି ଏସଡିପିଓ କହିଛନ୍ତି, ଚୋରି ରୋକିବାକୁ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ଓ ବଢ଼ାଯିବ। ସହର ଭିତରକୁ ବଡ଼ ଯାନ ପ୍ରବେଶ ନେଇ ଏନଏସି କାର୍ଯ୍ୟାଳୟକୁ ଅବଗତ କରାଯିବ। ଟ୍ରାଫିକ୍ ସମାଧାନ ପାଇଁ ପ୍ରମୁଖ ଛକରେ ଟ୍ରାଫିକ୍ ପୁଲିସ ମୁତୟନ, ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍, ଭାରୀଯାନ ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ଓ ସମୟ ଏବଂ ଯାତ୍ରୀବାହୀ ବସ୍ ପାଇଁ ନିର୍ଦ୍ଦିଷ୍ଟ ଷ୍ଟପେଜ୍ ବ୍ୟବସ୍ଥା କରିବାକୁ କମିଟି ଦାବି କରିଛି। ଏହି ଅବସରରେ କମିଟିର ସଭାପତି ବିଶାଲ ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ, ସମ୍ପାଦକ ଜିତୁ ସୁନା, ଯୁଗ୍ମ ସମ୍ପାଦକ ଲୋକେଶ ଭୋଇ, ସାମ୍ବାଦିକ ପ୍ରମୋଦ ବେହେରା, ସଦସ୍ୟ ଦୁଖନାଶନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version