ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ – ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ


ନୟାଗଡ଼  (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ଧୂପପୁଷ୍ପ ଅର୍ପଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଶ୍ରୀଯୁକ୍ତ ମହାପାତ୍ର ଆଲୋଚନା କରି କହିଥିଲେ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ ।

ଅକ୍ଟୋବର ୧୦, ୧୯୪୨ମସିହା । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ‘ ଭାରତଛାଡ’ ଆନ୍ଦୋଳନର ଉତ୍ତାଳ ତରଙ୍ଗ ସାରା ଦେଶରେ ! ନୟାଗଡ଼ ଗଡ଼ଜାତର ପ୍ରଜାମଣ୍ଡଳ ଆନ୍ଦୋଳନ ରାଜା ଆଉ ଗୋରାଶାସନ ବିରୁଦ୍ଧରେ ! ସଂଗ୍ରାମୀ ଲକ୍ଷ୍ମଣ ମହାରଣା, ଶ୍ରୀଧର ଦାଶ, ନାରାୟଣ ନନ୍ଦ, ବାଞ୍ଛାନିଧି ସେନାପତିଙ୍କ ନେତୃତ୍ୱରେ ଗଡ଼ଜାତ ଅଞ୍ଚଳ କମ୍ପୁଥିଲା। ଥୁଆବାରୀ ଗାଁ ମାତିଯାଇଥାଏ ଆନ୍ଦୋଳନରେ । ପାଲଵା, ପଞ୍ଚୁପାଣ୍ଡବ,ଶୂଳିଆ ପାହାଡ଼ ତଳି ମାଳ ଥାଏ ପ୍ରଜାମେଳିର ଘାଟି ! ଅକ୍ଟୋବର ୦୯ ତାରିଖ ରାତିରେ ମେଳିଆ ପ୍ରଜାମାନେ କୁଶବିଡାର ଆଦିବାସୀ ନେତା କଷ୍ଟି ଡାକୁଆଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ବରକୋଳା ଫରେଷ୍ଟ ବିଟ୍ ଠାରେ ମେଳହୋଇ ପ୍ରଥମେ ପ୍ରଜାପୀଡନର ପ୍ରତୀକ ବିଟ୍ ହାଉସ୍ ପୋଡ଼ିଲେ ! ସେଇଠୁ ନୂଆଗାଁ ଥାନାକୁ ଲକ୍ଷ୍ୟ କରି ପଟୁଆର ମାଡିଚାଲିଲା !

୧୦ ଅକ୍ଟୋବର ସକାଳେ ନୂଆଗାଁ ଥାନା ଉପରେ ତ୍ରିରଙ୍ଗା ଉଡ଼ାଇବାକୁ ଗଲାବେଳେ ପୋଲିସ ଗୁଳିରେ କଷ୍ଟିଡାକୁଆ ସହୀଦ ହେଲେ ! ଇଏ ଆମ ସ୍ଵାଧୀନତା ସଂଗ୍ରାମର ବୀରତ୍ଵପୂର୍ଣ ଇତିହାସର ସଂକ୍ଷିପ୍ତ ଗାଥା ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ପରେ ପରେ ସହିଦ୍ କଷ୍ଟି ଡାକୁଆ ଅମର ରହେ ଧ୍ବନିରେ ବିଦ୍ଯାଳୟ ପରିସର ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର, ବିନୋଦିନୀ ବାରିକ, ପୁଷ୍ପିତା ରଥ, ଶୁଭଶ୍ରୀ ଦେହୁଡି, ସୁଜାତା ସାହୁ,ଲୋପାମୁଦ୍ରା ଗୁରୁମା, ଚନ୍ଦ୍ରଶେଖର ମିଶ୍ର ଓ ଜଗତ କଲ୍ଯାଣ କାଶ୍ଯପ ସହଯୋଗ କରିଥିଲେ ।

Exit mobile version