ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ

ନିବେଶକ, ଚାଷୀ ସହଯୋଗୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଓଡ଼ିଶାର ଯୁବ ଆକ୍ୱା-ଟେକ୍ ଷ୍ଟାର୍ଟଅପ୍‌ର ସଫଳତାର ଉତ୍ସବ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ୨୦୨୩ ମସିହାରେ ପ୍ରତିଷ୍ଠିତ ଭୁବନେଶ୍ୱରସ୍ଥିତ ଆକ୍ୱା-ଟେକ୍ ଷ୍ଟାର୍ଟଅପ୍ ଆକ୍ୱାପଲ୍ସ ରବିବାର (୪ ଅକ୍ଟୋବର) ଭୁବନେଶ୍ୱରର ନୋଭୋଟେଲ୍‌ଠାରେ ନିଜର ବାର୍ଷିକ ସମ୍ମିଳନୀ ୨୦୨୬ ଆୟୋଜନ କରିଛି । ଏହି ଅବସରରେ କମ୍ପାନୀର ନିବେଶକ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଚିଙ୍ଗୁଡ଼ି ଚାଷୀ (ଆକ୍ୱାପ୍ରେନର୍), ସହଯୋଗୀ ସଂସ୍ଥା ଓ କର୍ମଚାରୀମାନେ ଏକାଠି ହୋଇଥିଲେ । ଦିନଟିରେ ବ୍ୟବସାୟ ସମୀକ୍ଷା, ନୂଆ ପ୍ରଯୁକ୍ତିର ଉନ୍ମୋଚନ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା ।

ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଆକ୍ୱାପଲ୍ସ ଟେକ୍ନୋଲୋଜି ଷ୍ଟାକ୍‌ର ଉନ୍ମୋଚନ । ଏହା ଚାରୋଟି ପରସ୍ପର ସଂଯୁକ୍ତ ପ୍ଲାଟଫର୍ମର ସମାହାର, ଯାହା ଭେନାମି ଚିଙ୍ଗୁଡ଼ିକୁ ପୋଖରୀରୁ ବନ୍ଦର ପର୍ଯ୍ୟନ୍ତ ଅନୁସରଣ କରେ। ପଣ୍ଡ ଟେକ୍ ଷ୍ଟାକ୍ ଅମଳ ପୂର୍ବରୁ ପୋଖରୀର ସ୍ୱାସ୍ଥ୍ୟ ଜାଣେ, ଶ୍ରିମ୍‌ପ୍ରୋ ଏଆଇ ଚାଷ ସମୟରେ ପ୍ରତ୍ୟେକ ପୋଖରୀର ତଥ୍ୟ ରଖେ, ନେକ୍ସସ୍ · ଏଟିଆଇପି ସେହି ତଥ୍ୟକୁ ବଜାର ସୂଚନାରେ ପରିଣତ କରେ ଏବଂ ଏକ୍ସପୋର୍ଟ କମ୍ପ୍ଲାଏନ୍ସ ଷ୍ଟାକ୍ ରପ୍ତାନି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରେ । ଏହା ଫଳରେ କ୍ରେତାମାନେ ଚିଙ୍ଗୁଡ଼ି କେଉଁଠୁ ଆସିଛି, ତାହାର ଗୋଟିଏ ସମ୍ପୂର୍ଣ୍ଣ ଓ ଯାଞ୍ଚଯୋଗ୍ୟ ତଥ୍ୟ ପାଇପାରିବେ ।

କମ୍ପାନୀ ଚଳିତ ବର୍ଷର ଦୁଇଟି ସ୍ୱୀକୃତିକୁ ମଧ୍ୟ ପାଳନ କରିଥିଲା । ବ୍ୟାଙ୍କକ୍‌ରେ ଅନୁଷ୍ଠିତ ରେସ୍ପନ୍ସିବଲ୍ ସିଫୁଡ୍ ସମିଟ୍‌ରେ ଆକ୍ୱାପଲ୍ସ ‘ରେସ୍ପନ୍ସିବଲ୍ ସିଫୁଡ୍ ଇନୋଭେସନ୍ ଆୱାର୍ଡସ୍ ୨୦୨୬’ର ଜଳକୃଷି ବିଭାଗରେ ଫାଇନାଲିଷ୍ଟ ଭାବେ ମନୋନୀତ ହୋଇଥିଲା। ଏଥିସହ କମ୍ପାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ‘ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ପ୍ରମାଣପତ୍ର ପାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାବ୍‌ଭେଞ୍ଚର୍ସ ଲିମିଟେଡ୍‌ର ଶ୍ରୀ ଶାଶ୍ୱତ ଏସ୍ ଗୋୟଲ, ଆଇଏଏନ୍ ଆଲ୍‌ଫା ଫଣ୍ଡର ସୁଶ୍ରୀ ଆରୁଷି ମେହେଟା, ଗ୍ରୋଥାଲିର ଶ୍ରୀ ଲକ୍ଷ୍ମୀକାନ୍ତ ବୋହରା, ନାବ୍‌କିସାନ୍ ଫାଇନାନ୍ସ ଲିମିଟେଡ୍‌ର ଶ୍ରୀ ଅମେୟ ସାୱନ୍ତ ଏବଂ ପିଡବ୍ଲୁସିର ସୁଶ୍ରୀ ନିଶି ଅଗ୍ରୱାଲ ଯୋଗ ଦେଇଥିଲେ ।

ସହ-ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଭିଷେକ ଦ୍ୱିବେଦୀ କହିଲେ, “ଆକ୍ୱାପଲ୍ସ ଗୋଟିଏ ସରଳ ବିଶ୍ୱାସରୁ ଆରମ୍ଭ ହୋଇଥିଲା: ଛୋଟ ପୋଖରୀ ଥିବା ଚାଷୀ ମଧ୍ୟ ସବୁଠୁ ବଡ଼ ରପ୍ତାନିକାରୀଙ୍କ ଭଳି ସମାନ ବିଜ୍ଞାନ, ସମାନ ବଜାର ଓ ସମାନ ସମ୍ମାନ ପାଇବା ଉଚିତ । ଆଜି ଆମେ ଯାହା ଉନ୍ମୋଚନ କଲୁ, ତାହା ଏହି କକ୍ଷରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଶ୍ରମର ଫଳ ।” ସହ-ପ୍ରତିଷ୍ଠାତା ତଥା ଚିଫ୍ ଗ୍ରୋଥ୍ ଅଫିସର୍ ଅଭିଳାଷ ଦ୍ୱିବେଦୀ କହିଲେ, “ପ୍ରତ୍ୟେକ କ୍ରେତା ଗୋଟିଏ ପ୍ରଶ୍ନ ପଚାରନ୍ତି: ଏହି ଚିଙ୍ଗୁଡ଼ି କେଉଁଠୁ ଆସିଛି, ଦେଖାଇ ପାରିବେ କି? ଏହି ପ୍ରଯୁକ୍ତି ସହ ଆମର ଉତ୍ତର ହେଉଛି ହଁ, ପୋଖରୀରୁ ବନ୍ଦର ପର୍ଯ୍ୟନ୍ତ, ଗୋଟିଏ ତଥ୍ୟରେ ।”

‘ପଣ୍ଡ ଟୁ ପୋର୍ଟ ଏକ୍ସେଲେନ୍ସ ଆୱାର୍ଡସ୍’ରେ ଓଡ଼ିଶାର ଭଦ୍ରକ ଓ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀର ଚିଙ୍ଗୁଡ଼ି ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ କ୍ରୟ, ଉତ୍ପାଦନ, ରପ୍ତାନି, ଅର୍ଥ, ମାନବ ସମ୍ବଳ ଓ ପ୍ରଯୁକ୍ତି ବିଭାଗର କର୍ମଚାରୀମାନେ ପୁରସ୍କୃତ ହୋଇଥିଲେ। ଏମିରେଟ୍ସ ଲଜିଷ୍ଟିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌କୁ ‘ଲଜିଷ୍ଟିକ୍ସ ପାର୍ଟନର୍ ଆୱାର୍ଡ’ ପ୍ରଦାନ କରାଯାଇଥିଲା। କମ୍ପାନୀର ଆରମ୍ଭରୁ ମାର୍ଗଦର୍ଶନ ଦେଇଆସୁଥିବା ମୁଖ୍ୟ ଉପଦେଷ୍ଟା ଶ୍ରୀ ମନୋରଞ୍ଜନ କୁମାର ପାତ୍ରଙ୍କୁ ‘ଆକ୍ୱାପଲ୍ସ ହଲ୍ ଅଫ୍ ଫେମ୍’ରେ ସ୍ଥାନ ଦିଆଯାଇଥିଲା ।

ଦିନର ଆରମ୍ଭରେ ପରିଚାଳନା ସମୀକ୍ଷା ବୈଠକରେ ପ୍ରତ୍ୟେକ ବିଭାଗ ନିଜର ଅଗ୍ରଗତି ଓ ଆଗାମୀ ଯୋଜନା ଉପସ୍ଥାପନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ସନ୍ଧ୍ୟା ସହ ସମ୍ମିଳନୀ ଶେଷ ହୋଇଥିଲା ।
ଆକ୍ୱାପଲ୍ସ ସମ୍ପର୍କରେ: ଆକ୍ୱାପଲ୍ସ ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଏକ ‘ପଣ୍ଡ ଟୁ ପୋର୍ଟ’ ଭେନାମି ଚିଙ୍ଗୁଡ଼ି କମ୍ପାନୀ । ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର କ୍ଷୁଦ୍ର ଚିଙ୍ଗୁଡ଼ି ଚାଷୀଙ୍କ ସହ କାମ କରେ ଏବଂ ନିଜସ୍ୱ ପ୍ରଯୁକ୍ତି ପ୍ଲାଟଫର୍ମର ସହାୟତାରେ ପ୍ରକ୍ରିୟାକୃତ ଚିଙ୍ଗୁଡ଼ି ଅନ୍ତର୍ଜାତୀୟ ବଜାରକୁ ରପ୍ତାନି କରେ ।

Exit mobile version