ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଚିଠି ଜାରି କରାଯାଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ବଚ୍ଛ ସଲୀଳା ମହାପାତ୍ର ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ବାତିଲ ପରେ ଛାତ୍ର ଅଶାନ୍ତି ଦେଖା ଦେବା ସହିତ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନେ ଏ ନେଇ କଲେଜ କର୍ତ୍ତୁପକ୍ଷଙ୍କୁ କୈଫୟତ ମାଗିବା ସହିତ ନିର୍ବାଚନ ଦାବି କରିଥିଲେ।

ଛାତ୍ର ବିଜେଡ଼ି ପକ୍ଷରୁ ମିଳିଥିବା ଅଭିଯୋଗ ଅନୁଯାୟୀ ଆଜି ପୃଥକ ପୃଥକ ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ସୁରୁଖୁରରେ ନାମାଙ୍କନ ପ୍ରକ୍ରିୟା ସରିବା ସହିତ କ୍ୟାମ୍ପସ ନିର୍ବାଚନ ମୁହାଁ ହେଉଥିଲା। ତେବେ ଶାସକ ଦଳ ସମର୍ଥିତ ସଂଗଠନ ପକ୍ଷରୁ ପୃଥକ ପୃଥକ ନାମାଙ୍କନ ଯୋଗୁଁ ହଠାତ ଅପରାହ୍ନରେ ନିର୍ବାଚନ ବନ୍ଦ ଘୋଷଣା କରାଯାଇଥିଲା। ଯାହାକୁ ନେଇ ଛାତ୍ର ବିଜେଡ଼ି ସଭାପତି ବିକ୍ରମ ପ୍ରଧାନ, ଯୁବ ସଭାପତି ମନୋରଞ୍ଜନ ବେହେରାଙ୍କ ସମେତ ନାମାଙ୍କନ ଭରିଥିବା ଛାତ୍ରମାନେ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେବା ସହିତ ନିର୍ବାଚନ ଦାବି କରିଥିଲେ।

ଘଟଣାକୁ ନେଇ ବଜାର ଅଞ୍ଚଳରେ ଉତ୍ତେଜନା ବଢୁଥିବା ବେଳେ ଏସଡିପିଓ ସରୋଜ କୁମାର ସାହୁଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଉତ୍ୟକ୍ତ ଛାତ୍ର ଓ ସଂଗଠନ ନେତାଙ୍କୁ ବୁଝାସୁଝା କରିଥିଲା। ସନ୍ଧ୍ୟାରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ରଙ୍କ ନେତୃତ୍ବରେ କଲେଜ କର୍ତୃପକ୍ଷ ଧାରଣାରତ ଛାତ୍ର ଏବଂ ସଂଗଠନ ନେତାଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଆସନ୍ତାକାଲି ପୁଣିଥରେ ବିସିଜେଡି ସମର୍ଥିତ ଛାତ୍ରଛାତ୍ରୀ ଧାରଣା ଦେବେ ବୋଲି ସୂଚନା ମିଳିଛି।

Exit mobile version