ବିଦ୍ୟୁତ୍ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ରୁମ୍ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍ ନଥିବାରୁ ସେହି ସ୍ମାର୍ଟ କ୍ଲାସ୍ରୁମ୍ ଏବେ କେବଳ ନାମକୁ ରହିଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ନୀଲିପଡ଼ା ସରକାରୀ ୟୁଜି ହାଇସ୍କୁଲ (ନୂଆ)ରେ ଦୀର୍ଘ ୨୫ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଫଳରେ ସ୍ମାର୍ଟବୋର୍ଡ ଭିତ୍ତିକ ପାଠପଢ଼ା ବନ୍ଦ ହୋଇଯିବା ସହ ଖରା ଓ ଗରମରେ ଫ୍ୟାନ୍ ଚାଲୁନଥିବାରୁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଶେଷରେ ସେମାନେ ଏକଜୁଟ ହୋଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ବିଦ୍ୟାଳୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟବୋର୍ଡ ସ୍ଥାପନ କରାଯାଇଛି । କିନ୍ତୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏହାର କୌଣସି ବ୍ୟବହାର ହେଉନାହିଁ । ଏପରିକି ବିଦ୍ୟୁତ୍ ନଥିବାରୁ ଫ୍ୟାନ୍ ମଧ୍ୟ ଚାଲୁନଥିବାରୁ ଗରମ ପରିବେଶରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି ।
