ଭୁବନେଶ୍ୱରରେ ପୁଅ ଜିଉଁତିଆ ଓଷା

 
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ‘ପୁଅ ଜିଉଁତିଆ’ ଓଷା ଭୁବନେଶ୍ୱରର ୟୁନିଟ-୬ ସ୍ଥିତ ରକ୍ଷାକାଳୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ  ହୋଇଯାଇଛି ।  ପୁଅ ଜିଉଁତିଆ ଓଷା ଗ୍ରୁପ,ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏହି  ଓଷାରେ ୫୦ ରୁ ଉର୍ଦ୍ଧ୍ବ ଓଷା କରୁଥିବା ମାଆ ମାନେ ସପରିବାର ଯୋଗ ଦେଇ ଥିଲେ । ୨୪ ଘଣ୍ଟା ନିର୍ଜଳା ଉପବାସ କରି ମାଆ ମାନେ ଏହି ଓଷା ନିଜ ପୁଅ ଓ ଝିଅମାନଙ୍କର ଦୀର୍ଘ ଜୀବନ ପାଇଁ ପାଳନ କରିଥାନ୍ତି ।  ଏହାକୁ  ‘ଦୂତିବାହନ ଓଷା’ ମଧ୍ୟ କୁହାଯାଏ ।  ମା ଏବଂ ତାଙ୍କ ସନ୍ତାନମାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ଏହି ଓଷା ଦର୍ଶାଇଥାଏ ।

ଆଶ୍ୱିନ ମାସ  କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପାଳନ କରାଯାଏ | ମାତାମାନେ ନିଜ ନିଜ ଅଞ୍ଚଳରେ ଖୋଲା ସ୍ଥାନରେ ଏକତ୍ରିତ ହୋଇ ସନ୍ଧ୍ୟାରେ ପୂଜା କରନ୍ତି | ଏହି ପର୍ବ ସମୟରେ ୨୧ ପ୍ରକାରର ଫଳ  ଏବଂ ଫୁଲରେ ସଜାଯାଇଥିବା ଖୋଲା ସ୍ଥାନରେ ଭଗବାନ ଦୁତିବାହନଙ୍କୁ ପୂଜା କରାଯାଏ । ମାଆ ମାନେ ପ୍ରଭୁ ଦୁତିବାହନଙ୍କୁ ୧୦୮ ଦୁବ ଏବଂ ୧୦୮ ଅରୁଆ ଚାଉଳ  ସହିତ ଜିଉଁତିଆ, ଜୁଗାର ନେଇ ପୂଜା କରନ୍ତି  ଏବଂ ବ୍ରତ କଥା ଶୁଣନ୍ତି ।  ପରଦିନ ଦିନ, ମାଆମାନେ ନିକଟସ୍ଥ ନଦୀ କିମ୍ବା ପୋଖରୀରେ ରେ ଏକ ପବିତ୍ର ବୁଡ଼ ପକାଇ ନଦୀ କୂଳରେ ରୀତିନୀତି କରନ୍ତି |

ତାପରେ, ସେମାନେ ୧୦୮ ଦୁବ ଏବଂ ୧୦୮ ଅରୁଆ ଓ ଜିଉଁତିଆ ମିଶି  ଏକତ୍ର ବନ୍ଧା ଯାଇଥିବା ବିଡାକୁ   ଧରି  ପିଲାମାନଙ୍କର  ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସାତଥର ଉତାରୀ ଥାନ୍ତି  । ଏହା ପିଲାମାନଙ୍କୁ ଅସୁସ୍ଥତା ଏବଂ କୁଦୃଷ୍ଟିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ କରାଯାଏ | ଜିଉଁତିଆ ତା’ପରେ ପିଲାମାନଙ୍କ ହାତରେ ବନ୍ଧା ହୁଏ | ପିଲାମାନଂକୁ  ସୁସ୍ୱାଦୁ ଖାଦ୍ୟ ଏବଂ ବସ୍ତ୍ର ଦେବା ପରେ  ମାତାମାନେ ଉପବାସ ଭାଙ୍ଗନ୍ତି | ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ବିବେକାନନ୍ଦ ଭୋଇ,ଶିବ ଶଙ୍କର ମିଶ୍ର , ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ସରୋଜ ପଣ୍ଡା ,ଦୁଃଖିଶ୍ୟାମ ଭଞ୍ଜ , ସଂଜୀବ ମିଶ୍ର ,ରାଘବ ଗଡୁଆ ଓ କୁବେର ପ୍ରମୁଖ  ସହଯୋଗ କରିଥିଲେ ।

Exit mobile version