ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବାଲିଗୁଡ଼ାରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏହି ଅବସରରେ ପିଡବ୍ଲ୍ୟୁଡି ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଶାସ୍ତ୍ରୀ ଙ୍କ ଫୋଟୋ ଚିତ୍ରରେ ଅତିଥି ଓ ଉପସ୍ଥିତ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।କାର୍ଯ୍ୟକ୍ରମରେ ପିଏ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବଶଙ୍କର ସମରଥ, ତୀର୍ଥବାସୀ ଘଡ଼ାଇ, ଅଭିମନ୍ୟୁ ପ୍ରଧାନ,

ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରିବା ସହ ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ସ୍ୱଚ୍ଛତାର ବାର୍ତ୍ତା ଏବଂ ଶାସ୍ତ୍ରୀଙ୍କ ଦେଶପ୍ରେମ ଓ ଶୃଙ୍ଖଳାର ଆଦର୍ଶକୁ ମନେ ପକାଇଥିଲା । ଛାତ୍ରଛାତ୍ରୀଙ୍କ ଏହି ଶୋଭାଯାତ୍ରା ସହରବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ଗାନ୍ଧୀ-ଶାସ୍ତ୍ରୀଙ୍କ ଆଦର୍ଶ ପ୍ରତି ସଚେତନତା ସୃଷ୍ଟି କରିଥିଲା ।

Exit mobile version