ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଣପୁର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) ବାଲୁଗାଁ :- ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ଗୁରୁବାର ଦିନ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ବାଲୁଗାଁ ସ୍ଥିତ ବରିଷ୍ଠ ନାଗରିକ ଆବାସ ଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସରକାରୀ ସହାୟତା ସମ୍ବନ୍ଧୀୟ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ନାଗରିକମାନେ ସମାଜର ମୂଳଦୁଆ ଏବଂ ସେମାନଙ୍କ ଅବଦାନ ସମାଜରେ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ ବିଚାରପତି ଶ୍ରୀ ମହାପାତ୍ର। ସମ୍ପ୍ରତି ସମୟରେ ବିଭିନ୍ନ ସ୍ଥାନରେ ବରିଷ୍ଠ ନାଗରିକ ମାନଙ୍କୁ ଉପେକ୍ଷା ତଥା ନିର୍ଯ୍ୟାତନା ହେଉଥିବାର ଅଭିଯୋଗ ଆସୁଅଛି ଏବଂ ଏହାର ପ୍ରତିକାର ପାଇଁ ସମ୍ବିଧାନରେ ଥିବା ଏକାଧିକ ଆଇନ ବିଷୟରେ ବିସ୍ତୃତ ଭାବେ ବିଚାରପତି ଅନ୍ତେବାସୀଙ୍କୁ ବୁଝାଇଥିଲେ। ତତସହିତ ଯଦି କୌଣସି ଅନ୍ତେବାସୀ ସରକାରୀ ସହାୟତା ତଥା ଆଇନଗତ ଅଧିକାରରୁ ବଞ୍ଚିତ ହୁଅନ୍ତି

ତେବେ ସେ ନିର୍ଦ୍ବନ୍ଦରେ ବରିଷ୍ଠ ନାଗରିକ ଆବାସ ଗୃହର ପରିଚାଳକଙ୍କ ଜରିଆରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାରିବେ ବୋଲି କହିଥିଲେ ବିଚାରପରତି। ପରିଶେଷରେ ବିଚାରପତି ଶ୍ରୀ ମହାପାତ୍ର ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରିବୁଝିବା ସହ ତାହାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ ଏବଂ ଅତ୍ୟାବଶକୀୟ ଆସବାବପତ୍ର ଅନ୍ତେବାସୀଙ୍କୁ ବିତରଣ କରିଥିଲେ । ତେବେ ବିଚାରପତିଙ୍କ ଉକ୍ତ ପରିଦର୍ଶନ ଦ୍ୱାରା ଅନ୍ତେବାସୀମାନେ ଖୁବ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ଶାନ୍ତନୁ ମହାପାତ୍ର ଯୋଗଦେଇଥିଲେ।

ଅନୁରୂପ ଭାବେ ବୁଧବାର ଦିନ ବାଣପୁର ବ୍ଲକ ସଭାଗୃହରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ (ପୋକସୋ ଆଇନ),କିଶୋର ନ୍ୟାୟ ଯତ୍ନ ଓ ସୁରକ୍ଷା ଅଧିନିୟମ,ପୀଡ଼ିତା କ୍ଷତିପୂରଣ ଆଇନ ଏବଂ ମୌଳିକ କର୍ତ୍ତବ୍ୟ ବିଷୟଗୁଡିକ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଶିଶୁ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧ ଏବଂ ଦଣ୍ଡବିଧାନ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଯୌନ ନିର୍ଯ୍ୟାତନା, ହିଂସା ଏବଂ ଯୌନ ଉଦ୍ଦୀପକ (ପର୍ଣ୍ଣଗ୍ରାଫି) ପ୍ରକାଶନ, ବିତରଣ ଏବଂ ତାହାକୁ ନିଜ ପାଖରେ ରଖିବା ଅପରାଧ ବୋଲି ବିବେଚିତ କରିଥିଲେ। ଶିଶୁଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଲୁଚାଇରଖିବା ଏବଂ ଶିଶୁଙ୍କର ପରିଚୟ ପ୍ରକାଶ କରିବା ମଧ୍ୟ ଉକ୍ତ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ।

ତତସହିତ ପୀଡ଼ିତଙ୍କ ନିମନ୍ତେ ଉକ୍ତ ଆଇନ ଅନ୍ତର୍ଗତ କ୍ଷତିପୂରଣ ଏବଂ ମୌଳିକ କର୍ତ୍ତବ୍ୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ବିଚାରପତି ଶ୍ରୀ ମହାପାତ୍ର। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓକିଲ ସଂଘ ସଭାପତି ଜଗନ୍ନାଥ ଭୋଳ, ଉପ ସଭାପତି ନିରୋଜ ମହାନ୍ତି, ସହ ସମ୍ପାଦକ ନରେନ୍ଦ୍ର ନାୟକ, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ଅନ୍ୟ ଓକିଲ ମାନେ ଯୋଗ ଦେଇଥିଲେ l

Exit mobile version