ଫୁଲବାଣୀରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ ଆରମ୍ଭ


ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଫୁଲବାଣୀ ସ୍ଥିତ ସିଭିଲ ସର୍ଭିସ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ୍ ଆରମ୍ଭ ହୋଇଛି । ଏହି କୋଚିଂ ସେଣ୍ଟରଟି ୨୦୨୩ ମସିହା ଅଗଷ୍ଟ ୧୭ ତାରିଖରୁ ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପରିଚାଳନାରେ ପ୍ରତିଷ୍ଠା ହୋଇଥିଲା ।କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣଙ୍କ କରକମଳରେ ଉଦ୍ଘାଟିତ ହୋଇଛି ୩ୟ ବ୍ୟାଚ୍।

ଜିଲ୍ଲାପାଳ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ କରିବା ସହ ସହଜ ଓ ସରଳ ଭାବରେ ପ୍ରେରଣାଦାୟୀ ଉଦାହରଣ କହିଥିଲେ। ନିଜର ପ୍ରସ୍ତୁତି , ଅନୁଭୂତି ବ୍ୟକ୍ତ କରିବା ସହ ତ୍ରୁଟି ସଂଶୋଧନ ଉପରେ ଗୁରୁତ୍ୱାରୋପ କରିଥିଲେ, ପ୍ରସ୍ତୁତି ସମୟରେ ସମୟର ଗୁରୁତ୍ୱ ଓ ଧୈର୍ଯ୍ୟ ସହକାରେ ନିରନ୍ତର ଅଧ୍ୟବସାୟର ମନ୍ତ୍ର ଦେଇଥିଲେ। ପ୍ରତି ୨ମାସ ଅନ୍ତରରେ ନିଜେ କୋଚିଂ ସେଣ୍ଟର ଆସି ଛାତ୍ର ଛାତ୍ରୀଙ୍କ ଗଚ୍ଛିତ ଡାଉଟ୍ କ୍ଲିୟର କରିବା ସହ ପାଠପଢ଼ାର ତଦାରଖ କରିବେ ବୋଲି କହିଥିଲେ ।

ଆଇ.ଟି. ଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁଧିଷ୍ଠିର ମେହେର ସ୍ୱାଗତ ସମାରୋହରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଓ ପ୍ରେରଣା ଦେବା ସହ ଏହି କୋଚିଂରୁ ଏଯାବତ୍ ପ୍ରଶାସନିକ ସେବାରେ ଜଣେ ଓ ଅନ୍ୟାନ୍ୟ ସରକାରୀ ଚାକିରିରେ ୩୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୭ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପ୍ରବେଶିକା ପରୀକ୍ଷା ପ୍ରିଲିମ୍ ରେ କୃତକାର୍ଯ୍ୟ ହୋଇ ମେନ୍ ପାଇଁ ପ୍ରସ୍ତୁତି ହେଉଛନ୍ତି । ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୩ୟ ବ୍ୟଚ୍ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା ।

ସର୍ବମୋଟ ୧୨୧ ଟି ଆବେଦନ ଦାଖଲ ହୋଇଥିବା ବେଳେ ଏକ ପ୍ରବେଶିକା ପରୀକ୍ଷା ଦ୍ୱାରା ୭୦ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ମନୋନୀତ କରାଯାଇଛି ବୋଲି ଅବଗତ କରିଥିଲେ । କୋଚିଂ ସେଣ୍ଟର ଅଧକ୍ଷ ଦାୟିତ୍ୱରେ ଥିବା ଶିବ ସୁନ୍ଦର ସାହୁ କହିଛନ୍ତି ଚଳିତ ବର୍ଷ ଦୈନିକ ୨ଟି କ୍ଲାସ ସକାଳ ୯ରୁ ମଧ୍ୟାହ୍ନ୧୨ ଟା ଓ ସନ୍ଧ୍ୟା ୬ଟା ରୁ ୯ଟା ରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ଵାରା ଦିଲ୍ଲୀରୁ ଅନଲାଇନ ଯୋଗେ କ୍ଲାସ ପ୍ରଦାନ କରାଯିବ ଓ

ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମେଣ୍ଟରଶିପ ଦ୍ୱାରା ଛାତ୍ର ଛାତ୍ରୀ ଙ୍କୁ ଆଗାମୀ ଦିନରେ ପଢ଼ାଇବେ । ନିଃଶୁଳ୍କ ୱାଇଫାଇ, ଶୀତତାପ ନିୟନ୍ତ୍ରିତ ଶ୍ରେଣୀଗୃହ ସହ କୋଚିଂ ପାଠାଗାରର ସୁବିଧା ଛାତ୍ର ଛାତ୍ରୀଙ୍କୁ ଯୋଗାଇଦିଆଯାଉଥିବା କହିଛନ୍ତି । ଛାତ୍ର ଛାତ୍ରୀ ମାନେ ଏହି କୋଚିଂ ରୁ ପାଠପଢ଼ି ଆଗାମୀ ଦିନରେ କନ୍ଧମାଳ ମାଟିରୁ ପ୍ରଶାସନିକ ସେବାରେ ବହୁ ମାତ୍ରାରେ ସଫଳତା ହାସଲ କରିବାର ଉଚ୍ଚାଭିଳାଷ ପରିପ୍ରକାଶ କରିଛନ୍ତି ।

Exit mobile version