ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର : ଶ୍ରଦ୍ଧାଳୁ ଆନନ୍ଦିତ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବୁଧବାର ସକାଳୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାରରେ ନଡିଆ ବାଡେଇ ଖୋଲିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ । ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର । କୋଭିଡ ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରୁ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀଗୁଣ୍ଡିଚା ମନ୍ଦିର । ପରବର୍ତ୍ତୀ ସମୟରେ ମରାମତି ପାଇଁ ବନ୍ଦ ରହିଥିଲା ଗୁଣ୍ଡିଚା ମନ୍ଦିର । ସେପ୍ଟେମ୍ବର ୩୦ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଦୀର୍ଘ ସମୟ ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ଥିବାରୁ ଏହାକୁ ନେଇ ଭକ୍ତ ଓ ସେବାୟତ ଓ ଶ୍ରଦ୍ଧାଳୁ ମାନଙ୍କ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି | ଆଜି ଠାରୁ ତିନି ଦିନ ମାଗଣାରେ ଭକ୍ତ ମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ । ଜୋତା, ମୋବାଇଲ ରଖିବା ପାଇଁ ସମ୍ପୂର୍ଣ୍ଣ ନିଶୁଳ୍କ ଜୋତା, ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ତିନି ଦିନ ପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିଛି। ସେହିପରି ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଛୋଟ ଶିଶୁ, ଦିବ୍ୟାଙ୍ଗ ମାନଙ୍କ ପାଇଁ ଲାଗିବନି ପ୍ରବେଶଶୁଳ୍କ |

ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ସୁବିଧାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥା କରାଯିବ। ଏହାର ପରିଚାଳନା ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବାର ସୁଯୋଗ ପାଇବେ।ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ. ଅରବିନ୍ଦ ପାଢ଼ୀ କହିଛନ୍ତି ‘‘ଶୁଭ ମୁହୂର୍ତ୍ତ ଅନୁସାରେ ଆଜି ସକାଳ ୭ ଟା ୪୫ ରେ ମନ୍ଦିର ଖୋଲା ଯାଇଛି ।

ଜଗମୋହନରେ ରହି ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ବର୍ତ୍ତମାନ ପାଇଁ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ ବନ୍ଦ ରହିଛି । ରଥର ତିନୋଟି ଚକ ମଧ୍ୟ ରଖାଯାଇଛି । ଜଗମୋହନ ଓ ନାଟମଣ୍ଡପକୁ ବାତାନୁକୁଳିତ କରାଯାଇଛି । ସମସ୍ତ ଶ୍ରଦ୍ଧାଳୁ ଏଠାରୁ ସୁଖଦ ଅନୁଭୂତି ନେଇକି ଯିବାପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ’’। ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିବା ସମୟ ସକାଳ ୬ ଟା ରହିଥିବାବେଳେ ବନ୍ଦ ସମୟ ସନ୍ଧ୍ୟା ୬ ଟା (ମାର୍ଚ୍ଚରୁ ଅକ୍ଟୋବର ଯାଏଁ) ରହିଛି । ସେହିପରି ନଭେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ସମୟ ସନ୍ଧ୍ୟା ୫ ଟା ରହିଛି ।

ରଥଯାତ୍ରା ସମୟରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମନ୍ଦିର ଓ ଏହାର ଐତିହ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ବିଭିନ୍ନ ସ୍ଥାନରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ଫଳକ ଲଗାଯାଇଛି। ଏହା ଦ୍ୱାରା ଅଣଓଡ଼ିଆ ଭକ୍ତମାନେ ମଧ୍ୟ ମନ୍ଦିର ସମ୍ପର୍କିତ ତଥ୍ୟ ସହଜରେ ଜାଣିପାରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଦୀର୍ଘ ବର୍ଷ ପରେ ଆଜି ମନ୍ଦିର ଖୋଲିବା ନେଇ ମନ୍ଦିରରେ ବ୍ୟାପକ ପୋଲିସ ନିୟୋଜିତ ହୋଇଛନ୍ତି ।

ଦୀର୍ଘବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଥିବାରୁ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏ ସମ୍ପର୍କରେ ଏସ. ପି. ପ୍ରତୀକ ସିଂ କହିଛନ୍ତି ‘‘ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିଂହଦ୍ବାରରୁ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସମଗ୍ର ମନ୍ଦିର ପରିସରରେ ସିସିଟିଭି ନଜର ରଖିଛି । ମୋବାଇଲ ଫୋନକୁ ମନ୍ଦିର ଭିତରେ ବାରଣ କରାଯାଇଛି ।

ଗେଟରେ ମୁତୟନ ସୁରକ୍ଷାକର୍ମୀ ଚେକିଂ କରି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛାଡୁଛନ୍ତି ’’।ରାଜ୍ୟ ବାହାରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି ‘‘ଏଠାକୁ ଆମେ ପ୍ରଥମ ଥର ଆସିଛୁ । ଆମ ପାଇଁ ଏହା ସୌଭାଗ୍ୟର କଥା ଯେ ଆମେ ଜନ୍ମବେଦୀରେ ଦର୍ଶନ କରିପାରିଛୁ । ମନ୍ଦିର ଭିତରେ ସମସ୍ତ ପ୍ରକାର ସୁବିଧା ରହିଛି । ଜଗନ୍ନାଥଙ୍କ କୃପାରୁ ଆମେ ସୁରୁଖୁରୁରେ ଦର୍ଶନ କରିପାରିଛୁ ’’।

Exit mobile version